ପ୍ରିୟା
ପ୍ରିୟା
ସୁନାବୋଳା ଦେହ ପରିକା ପ୍ରିୟାର
ଦେଖିଲା ଯେବେ ମୋ ଆଖି
ହୃଦୟେ ଖୁସିର ଅମାନିଆ ଢେଉ
ମନ ମୋର ଗଲା ଲାଖି ।
ଆଖି ନୁହେଁ ତା'ର ଯୋଡ଼େ ନୀଳ ନଈ
ରାଜହଂସୀ ଧିର ଚାଲି
ଗଜରା ଗଭା ଦିଶେ ଯେ ମନୋହର
ଓଠ ପୁଣି କଇଁ ନାଲି ।
ଗୋରା ପାଦେ ତା' ସରୁ ନାଲି ଅଳତା
ଶୋଭେ ହସ୍ତେ ସୁନା ଚୁଡ଼ି
ପ୍ରିୟା ନଗରୀକୁ ଯେବେଠୁ ଆସିଛି
ତା' ପ୍ରେମରେ ଗଲି ପଡ଼ି ।
ହସିଲେ ମୋ ପ୍ରିୟା ବରଷଇ ମହୁ
ଅତର ବାସେ ପବନ
ଦୁଃଖ କଷ୍ଟ ସବୁ ପାଶୋରୀ ଯାଆନ୍ତି
ଆହ୍ଲାଦିତ ହୁଏ ମନ ।
ଦୂର ଆକାଶ , ସାତ ମେଘ ମିଶ୍ରିତ
ଗାଆନ୍ତି ପ୍ରିୟାର ଗୀତ
ଖିଲି ଖିଲି ହସୁଥାନ୍ତି ତାରା ମାନେ
ଯେବେ ଧରେ ପ୍ରିୟା ହାତ ।
ଛୁଇଁଦେଲେ ତାକୁ ଅସ୍ଥିର ହୁଅଇ
ଓଠେ ଜୁଡ଼ୁବୁଡ଼ୁ ଲାଜ
ଦରିଆ ସେପାରି ଆଣିଛି ତା'ପାଇଁ
ସଜେଇ ଗୋଲାପ ଶେଯ ।
