ପ୍ରିୟା ଓ ପକ୍ଷୀ
ପ୍ରିୟା ଓ ପକ୍ଷୀ
ମୁକ୍ତ ଆକାଶରେ ଘୁରିବୁଲେ ସିଏ
ମୁକୁଳାଇ ତାର ଡେଣା ।
କଦବା କେମିତି ଉଡିଆସି ବସେ
ପ୍ରିୟା ହୁଏ ବାଟବଣା ।।
ମୋ ପ୍ରିୟା ଚାତୁରୀ ପ୍ରେମେ ଅନୁସରି
ଡାକେ ତାକୁ ହାତ ଠାରି ।
ଖାଇବାକୁ ଦିଏ କେତେ ଗୀତଗାଇ
ପିଇବାକୁ ଦିଏ ବାରି ।।
ଛୋଟ ଏ ବିହଙ୍ଗ ହେଲେ ବି ଜୀବନେ
ମନିନାହିଁ କେବେ ହାର ।
ମୋ ପ୍ରିୟା ଛାତରେ ଆସେ ମନୋହରେ
ପାଇବ ବୋଲି ଆହାର ।।
ସୁନୀଳ ନୟନୀ ଚାରୁ ଚନ୍ଦ୍ରନନୀ
ଖାଇବାକୁ ଦିଏ ତାରେ ।
ଖାଇବାକୁ ଦେଇ ଆନନ୍ଦ ଲଭଇ
ମହାନତା ଜୀବନରେ ।।
ପ୍ରିୟା ନିରୀମାଖୀ ହୁଏ ଭାରି ଖୁସି
ବାଇ ଚଢ଼େଇକୁ ଦେଖି ।
ଖାଇବାକୁ ଦାନା ପିଇବାକୁ ପାଣି
ଛାତ ପରେ ଦିଏ ରଖି ।।
ଭାରି ଖୁସି ହୁଏ ସୁନ୍ଦରୀ ଲଳନା
ଚଢେଇ ବସିଲେ ଆସି।
କବିତା ରଚନା କରେ ବସି ପ୍ରିୟା
ନିଜେ ନିଜେ ହୁଏ ଖୁସି ।।
ପର ଉପକାରୀ ରମଣୀ ଚାତୁରୀ
ଲାବଣ୍ୟବତୀ ମୋ ହୀରା।
ପର ଉପକାରେ ସମର୍ପିତ ହୁଅ
ଏହା ତା ଜୀବନ ଧାରା ।।