STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଜଗନ୍ନାଥାଷ୍ଟକ

ଜଗନ୍ନାଥାଷ୍ଟକ

1 min
342


କାଳିନ୍ଦୀ କୁଳର ବିପିନ ତଟରେ 

ଯେବେ ଗାଇଲ ସଙ୍ଗୀତ ।

ଆଭିରୀ ନାରୀଙ୍କ ସଙ୍ଗେ ମୋଦ କଲ 

ଲକ୍ଷ୍ମୀ ମୁଖ ମଧୁବ୍ରତ।

ରମା ଶମ୍ଭୁ ବ୍ରହ୍ମା ଅମରାଧିପତି

ଗଣେଶଙ୍କ ପଦାର୍ଚ୍ଚିତ।

ମୋର ନୟନର ଦୃଷ୍ଟି ପଥଗାମୀ 

ହୁଅ ସ୍ବାମୀ ଜଗନ୍ନାଥ ।୧।

ସବ୍ୟ ଭୁଜେ ବେଣୁ ଶିରେ ଶିଖୀ ପୁଚ୍ଛ

କଟି ତଟରେ ଦୂକୁଳ।

ନେତ୍ର କଟାକ୍ଷରେ ସହଚରଗଣେ 

ଦୃଷ୍ଟି ଯାର ଅନୁକୂଳ ।

ଶ୍ରୀ ବୃନ୍ଦାବନରେ ନିବାସ ଯାହାର 

ଲୀଳା କରନ୍ତି ସତତ।

ମୋର ନୟନର ଦୃଷ୍ଟି ପଥଗାମୀ 

ହୁଅ ସ୍ବାମୀ ଜଗନ୍ନାଥ ।୨।

ମହୋଦଧି ତୀର କନକ ରୁଚିର 

ନୀଳ ଶିଖର ଦେଶରେ ।

ପ୍ରାସାଦ ନିବାସୀ ସହଜ ସ୍ବରୂପେ 

ବଳଭଦ୍ରଙ୍କ ସଙ୍ଗରେ ।

ମଧ୍ୟରେ ସୁଭଦ୍ରା ସର୍ବ ସୁରଗଣ 

ନିତ୍ୟ ସେବ୍ୟ ଅବିରତ ।

ମୋର ନୟନର ଦୃଷ୍ଟି ପଥଗାମୀ 

ହୁଅ ସ୍ବାମୀ ଜଗନ୍ନାଥ ।୩।

ସଜଳ ଜଳଦ ଶ୍ରେଣୀ ସମ

ଯେ ଅଟନ୍ତି କୃପା ପାରାବାର।

ରମା ବାଣୀ ରାମ ସ୍ଫୁରଣ ଅମଳ 

କମଳ ମୁଖ ଯାହାର।

ସୁରେନ୍ଦ୍ର ଆରାଧ୍ୟ ଶ୍ରୁତିଗଣ ଶିଖା

ଗାନ କରନ୍ତି ଯା ଗୀତ ।

ମୋର ନୟନର ଦୃଷ୍ଟି ପଥଗାମୀ 

ହୁଅ ସ୍ବାମୀ ଜଗନ୍ନାଥ ।୪।

ରଥାରୂଢ ଯାତ୍ରା କାଳରେ ପଥରେ 

ମିଳନ୍ତି ଭୂଦେବଗଣ।

ବହୁ ସ୍ତୁତି ଶୁଣି ପ୍ରତି ପଦେ ପଦେ 

ସଦୟ ହୁଅ ଆପଣ ।

ଦୟା ସିନ୍ଧୁ ବନ୍ଧୁ ସକଳ ବିଶ୍ବର 

ସିନ୍ଧୁ ସୁତା ପ୍ରାଣନାଥ।

ମୋର ନୟନର ଦୃଷ୍ଟି ପଥଗାମୀ 

ହୁଅ ସ୍ବାମୀ ଜଗନ୍ନାଥ ।୫।

ପରଂବ୍ରହ୍ମ ତୁମେ କୁବଳୟା ହସ୍ତୀ

ଉତ୍ଫୁଲ୍ଲ ନୟନେ ନାଶି।

ନୀଳାଦ୍ରି ନିବାସୀ ଅନନ୍ତ ଶିରରେ 

ପଦ ପଙ୍କଜ ବିନ୍ୟସି।

ରସାନନ୍ଦୀ ରାଧା ସରସ ବପୁର

ଆଲିଙ୍ଗନ ସୁଖେ ନ୍ୟସ୍ତ ।

ମୋର ନୟନର ଦୃଷ୍ଟି ପଥଗାମୀ 

ହୁଅ ସ୍ବାମୀ ଜଗନ୍ନାଥ ।୬।

ନ କରେ ଯାଚନା ରାଜ୍ୟ ବଇଭବ

ଅବା କନକ ମାଣିକ୍ୟ ।

ନ କରେ ଯାଚନା ସର୍ବ ଜନ କାମ୍ୟା

ରମ୍ୟା ବର ବଧୂ ଏକ।

ସରବ କାଳରେ ପ୍ରମଥାଧିପତି

ତବ ଗୀତ ଗାନେ ରତ।

ମୋର ନୟନର ଦୃଷ୍ଟି ପଥଗାମୀ 

ହୁଅ ସ୍ବାମୀ ଜଗନ୍ନାଥ ।୭।

ହରିବ ସଂସାର ଅସାର ଦ୍ରୁତରେ

ତୁମେ ଆହେ ସୁରପତି।

ହରିବ ପାତକମାନ ହରି ପାର

ତୁମେ ହେ ଯାଦବ ପତି।

ଏ ଦୀନ ଅନାଥ ଶରଣ ପଶିଛି 

ତୁମ ଚରଣେ ନିଶ୍ଚିତ ।

ମୋର ନୟନର ଦୃଷ୍ଟି ପଥଗାମୀ 

ହୁଅ ସ୍ବାମୀ ଜଗନ୍ନାଥ ।୮।

ଜଗନ୍ନାଥାଷ୍ଟକ ଏ ପୁଣ୍ୟ ଚରିତ 

ପ୍ରାତେ ପଢିଲେ ଶୁଚିରେ ।

ସର୍ବ ପାପ ନାଶି ବିଶୁଦ୍ଧାତ୍ମା ହୋଇ

ବିଷ୍ଣୁ ଲୋକେ ଗତି କରେ ।

ଉତ୍କଳ ଭାଷାରେ ଜଗନ୍ନାଥାଷ୍ଟକ 

ଅନୁବାଦେ ଦେଇ ମନ।

ଶ୍ରୀ ଜଗନ୍ନାଥଙ୍କ ଚରଣ ପଙ୍କଜେ 

ଧ୍ୟାନ କରେ ନିରଞ୍ଜନ ।୯।



Rate this content
Log in

Similar oriya poem from Abstract