STORYMIRROR

Binodini Dash

Abstract

4  

Binodini Dash

Abstract

ଏମିତି ଠାକୁରଟିଏ

ଏମିତି ଠାକୁରଟିଏ

1 min
7

(ଛନ୍ଦ-ଚୋଖି)


ଏମିତି ଠାକୁରଟିଏ ଜଗତନାଥ ବୋଲାଏ

ବସି ରତ୍ନ ସିଂହାସନେ ଭକ୍ତେ ଅନାଇ 

ଚାରି ଚକ୍ଷୁର ମିଳନ ଦିଏ କୋଟିଯୁଗ ପୂଣ୍ୟ

ଭକତକୁ ଜୀଇଁବାର ରାହା ମିଳଇ

ଷୋଳକଳାରେ ପରିପୂର୍ଣ୍ଣ 

ବରଷକେ ନାନା ବେଶେ କି ସମ୍ମୋହନ !

 

ତା'ର ମାନବୀୟ ଲୀଳା ଆହା ! କେତେ ପ୍ରୀତି ବୋଳା

ବରଷକେ ଥରେ ମାଆ କୋଳରେ ଉଭା

ଭାଇ ଭଉଣୀ ସହିତେ ବିଜୟ ତିନୋଟି ରଥେ

ଦେଖାଇ ଭକତେ ଐଶ୍ବର୍ଯ୍ୟମୟ ଶୋଭା

ପତିତଙ୍କୁ କରେ ଉଦ୍ଧାର 

ବିଶ୍ବରେ ପ୍ରସିଦ୍ଧ ରଥଯାତରା ତା'ର ।


ମାଆ ଲକ୍ଷ୍ମୀ ସାଆନ୍ତାଣୀ ପରା ହୃଦୟର ରାଣୀ

ତାଙ୍କୁ ତୋଷି ବାହୁଡ଼ଇ ବାହୁଡ଼ା ଦିନ

ପୁଣି ଏକାଦଶୀ ତିଥି ସୁବର୍ଣ୍ଣରେ ମଣ୍ଡି ହୋନ୍ତି

ଦରଶନେ ଯେତେସବୁ ପାପ ମୋଚନ

ପେଇ ଭକ୍ତେ ଅଧରପଣା

ଦେଇପାରେ ସକଳେ ମୁକତି ଠିକଣା ।


ବଡ଼ ଦିଅଁ ବଡ଼ ଦାଣ୍ଡ ଦେଉଳ ବି ତା'ର ବଡ

ଯେତେସବୁ ବଡ଼ପଣ ଅଛି ଆବୋରି

ଚକାନୟନ ଘୂରାଇ ଜଗତଯାକ ଦେଖଇ

ଆରତର ଦୁଃଖ ଶୋକ ଥାଏ ନିବାରି

ଭକତର ଗଳାମାଳିଆ

ଡାକିଦେଲେ ହୃଦ ଖୋଲି ପାଖରେ ଠିଆ ।


ଗଣପତି ଭଟ୍ଟ ପାଇଁ ଗଜାନନ ବେଶ ହୋଇ

ସ୍ନାନ ମଣ୍ଡପରେ ଦିଏ ଭକ୍ତେ ଦର୍ଶନ

ମାଣିକଠୁ ଦହି ପିଇ ଦାସିଆ ନଡ଼ିଆ ଖାଇ

ବନ୍ଧୁ ମହାନ୍ତିକୁ ଭୋଗଥାଳି ଅର୍ପଣ

ସେ ପରା ଭକତ ଜୀବନ

ଭାବେ ବନ୍ଧା ପଡ଼ି ରହେ ଭକ୍ତ ଅଧୀନ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract