ସପନର ଦୁନିଆଁ
ସପନର ଦୁନିଆଁ
ସପନର ଦୁନିଆଁରେ ମଜ୍ଜିଥିବୁ ଯେବେ
ପାଉଥିବୁ କେତେ ମଜା
କେତେ ରଙ୍ଗ ରସ ,କେତେ ଭାବପ୍ରେମ
ଉଷୁନା ଧାନରୁ ଗଜା।
ସପନର ଦୁନିଆଁରେ ମଜ୍ଜିଥିବୁ ଯେବେ
ହେବୁ ସେ ରାଇଜର ରଜା
ପାଟ ମନ୍ତ୍ରୀ କେତେ ସେନାପତି କଟୁଆଳ
ବାଜୁଥିବ ଚତୁର୍ଦ୍ଦିଗେ ବାଜା
ସପନର ଦୁନିଆଁରେ ମଜ୍ଜିଥିବୁ ଯେବେ
ପାଇଯିବୁ ସୁନା ମୁଣ୍ଡା
କେତେ କୋଠାବାଡି , ଗାଡ଼ି ଘୋଡ଼ା କେତେ
ସବୁ ପାଇଯିବୁ, ଉଡ଼ିବ ବିଜୟ ଝଣ୍ଡା।
ରାତିର ସପନ ସତ ହୁଏ ନାହିଁ
ସକାଳକୁ ସବୁ ଶେଷ
ମରୁ ମରୀଚିକା ଅଟେ ସିନା ସେହି
ଖାଲି ମନକୁ କରେ ନିରାଶ।
ନିଜ ଅଭିଳାଷ ସପନ ସମାନ
ସଫଳତା ଆଛି ନିଶ୍ଚେ ତାର
ଦିନ ରାତି ସେହି ଉଦ୍ୟମରେ ଥିଲେ
ହେବଟି ତାହା ସାକାର ।
ରାତି ସପନ ପରି ନୁହେଁ ଧୁଆଁବାଣ
ଅଛି ତାର ସାର୍ଥକତା
ସେହି ସପନରେ ମଜ୍ଜିଥିବୁ ଯେବେ
ସପନ କହିବ କଥା।।
