Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

MAMATA RANI SATAPATHY

Abstract Tragedy

4  

MAMATA RANI SATAPATHY

Abstract Tragedy

ପରିତ୍ୟକ୍ତ

ପରିତ୍ୟକ୍ତ

8 mins
600



       ମହେଶବାବୁଙ୍କ ଆଖିରେ ଆଜି ଲୁହର ବନ୍ୟା। ସେହି ଲୁହ ପଶ୍ଚାତାପର ଲୁହ। ମହେଶବାବୁ ତା'କୁ ଆକଟ କରିବାକୁ ଚାହିଁନାହାଁନ୍ତି। ସେ ବି କୌଣସି ଆକଟ ମାନିବାକୁ ପ୍ରସ୍ତୁତ ନଥିଲା ସେଦିନ। ଏହି ସମୟରେ ଶ୍ବେତା ଆସି ପହଁଞ୍ଚିଲା । ସାର୍ ଙ୍କ ଆଖିରେ ଲୁହ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ସେ । ପଚାରିଲା ସାର୍ ବେଶୀ କଷ୍ଟ ହେଉଛି ? ମହେଶବାବୁ ଲୁହ ପୋଛି ପୋଛି କହିଲେ ନା। ଶ୍ବେତା ପୁୁଣି କାନ୍ଦିବାର କାରଣ ପଚାରିଲା।ମୁଁ କାନ୍ଦୁନି ମା' ଲୁହ ଗୁଡାକ ଆପେ ଆପେ ବୋହିଯାଉଛନ୍ତି କହିଲେ ମହେଶବାବୁ। ଶ୍ବେତା କିଛି ବୁଝିପାରିଲାନି ଚାଲିଗଲା। କିଛି ସମୟ ପରେ କ୍ଷୀର ଓ ବିସ୍କୁଟ୍ ନେଇ ପୁଣି ଆସିଲା l ମହେଶବାବୁଙ୍କୁ ଖୁଆଉଥାଏ ଭାବୁଥାଏ ଆଜିକୁ ତିନିଦିନ ହେଲା ସାର୍ ଙ୍କ ଏ ଅବସ୍ଥା ହେଲାଣି ଅଥଚ ଘରୁ କେହି ଆସୁନାହାଁନ୍ତି ଦେଖିବା ପାଇଁ। ସେ ତାଙ୍କଠାରୁ ଜାଣିବାକୁ ଚାହିଁଲା ତାଙ୍କ ନିଜଲୋକ କିଏ ନାହାଁନ୍ତି ନା ସେ କାହାକୁ ଖବର ଦେଇନାହାଁନ୍ତି। ମହେଶବାବୁ କହିଲେ ସେ ଏ ଦୁନିଆରେ ଏକା। ତାଙ୍କର କେହି ନାହାଁନ୍ତି। ଏକୁଟିଆ ବଞ୍ଚିବା ସତରେ କଷ୍ଟ ସାର କହି ଲୁହ ଛଳଛଳ ଆଖିରେ ଶ୍ବେତା ସେଠାରୁ ଚାଲିଗଲା। ମହେଶବାବୁ କିଛି ବି ବୁଝିପାରିଲେନି। ମହେଶବାବୁ ଥିଲେ ଜଣେ ପକ୍ଷାଘାତ ରୋଗୀ। ତିନିଦିନ ତଳେ ତାଙ୍କର ଷ୍ଟ୍ରୋକ୍ ହୋଇଥିଲା, ଆଉ ଘରବାଲା ର ପୁଅ ଆଣି ତାଙ୍କୁ ଏ କ୍ଲିନିକ୍ ରେ ଜଏନ୍ କରିଥିଲା। ସେହିଦିନଠାରୁ ଶ୍ବେତା ତାଙ୍କର ସେବା କରିଆସୁଛି। ଶ୍ଵେତା ସେହି କ୍ଲିନିକ ରେ ନର୍ସ ଚାକିରୀ କରେ l ତା'ର ନମ୍ର, ଶାନ୍ତ ଓ ଭଦ୍ର ବ୍ୟବହାର ମହେଶବାବୁଙ୍କୁ ଔଷଧ ପରି ମନେହେଉଛି। ମହେଶବାବୁ ବି ଥିଲେ ଜଣେ ଡାକ୍ତର। ଜୀବନସାରା ସେ ଅନେକ ରୋଗୀଙ୍କୁ ଚିକିତ୍ସା କରିଛନ୍ତି କିନ୍ତୁ ଏମିତି ବ୍ୟବହାର ସେ କେବେ କୌଣସି ରୋଗୀ ପ୍ରତି କରିନାହାଁନ୍ତି। ପଇସାର ଲୋଭ ତାଙ୍କୁ ରୋଗୀ ମାନଙ୍କ ନିକଟରୁ ଦୂରେଇ ରଖିଥିଲା।

    ମହେଶବାବୁଙ୍କ ଉଚ୍ଚରକ୍ତଚାପ ଥିବାରୁ ଡାକ୍ତରଙ୍କ ପରାମର୍ଶ ଥିଲା ଯଥାସମ୍ଭବ ଚିନ୍ତାରୁ ମୁକ୍ତ ରହିବା ପାଇଁ। ଆଉ ସମୟ ପାଇଲେ ଶ୍ବେତା ବି ଚାଲିଆସୁଥିଲା କିଛି କଥାକହି ମନକୁ ହାଲୁକା କରିବା ପାଇଁ। କିନ୍ତୁ ମହେଶବାବୁ ଙ୍କ ମନ କେଉଁଥିରେ ବି ଲାଗୁନଥିଲା। ତାଙ୍କୁ ମନେହେଉଥିଲା ସତେଯେପରି ସେ ପରିତ୍ୟକ୍ତ। ସମାଜରେ ତାଙ୍କର ଆଉ ଆବଶ୍ୟକତା ନାହିଁ। ମନେହେଉଥିଲା ସତେଯେମିତି ଜୀବନରେ ପ୍ରଥମ ଥର ପାଇଁ ସେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ଜୀବନର ଶେଷ ପାହାଚରେ ଆଜି ସେ ହାରିଯାଇଛନ୍ତି। ତାଙ୍କ ରୁମ୍ ର ଗୋଟିଏ କୋଣରେ ଗୋଟିଏ ନାରୀର ଫୋଟ ଟେ ଟଙ୍ଗା ହୋଇଛି। ଆଜି ତାଙ୍କର ନଜର ପଡିଲା ସେହି ଫୋଟଟିରେ।ସେ ନାରୀର ସ୍ମିତହାସ୍ୟ ସହ ମିଶିଯାଉଥିଲା ମୋନାଲିସାର ସ୍ମିତହାସ୍ୟ ଆଉ ସେ ହସ ଭିତରେ ସେ ଦେଖୁଥିଲେ ତାଙ୍କର ଅତି ପରିଚିତ ହସ। ତାଙ୍କର ସ୍ପନ୍ଦନ ବଢିବାକୁ ଲାଗିଲା। ଅତି ସହଜରେ ଭୁଲିଯାଇଥିବା ଅତୀତର ନିଭୃତ କନ୍ଦରକୁ ସେ ଧସେଇ ପଶିବାକୁ ଚେଷ୍ଟାକଲେ। ସେ ଅତୀତର ପୃଷ୍ଠା ଗୁଡିକୁ ଯେତିକି ଓଲଟାଉଥାନ୍ତି , ସେତିକି ଶିହରଣ ତାଙ୍କ ଦେହରେ ଖେଳିଯାଉଥାଏ।

      ସେହି ଜହ୍ନରାତି,ସେ ନଦୀକୂଳ,ସେ ଗୋଲାପ ଫୁଲ ,ଆଉ ସେ ଅଭିମାନିନୀ ପ୍ରିୟା...। ମନେ ପକାଉ ପକାଉ ଲୁହ ଛଳଛଳ ହୋଇଯାଉଥାଏ ମହେଶବାବୁଙ୍କ ଆଖି। ସେ ଥିଲେ ନିଃସ୍ବାର୍ଥପରତାର ମୂର୍ତ୍ତିମନ୍ତ ପ୍ରତୀକ। ଦିନରାତି ଏକାକାର କରି ସେ ଜଗି ରହୁଥିଲେ ମହେଶବାବୁଙ୍କ ପଥକୁ । କ'ଣ ଭୂଲ ଥିଲା ତାଙ୍କର ? ଅତ୍ୟଧିକ ଭଲପାଇବା ନା ପତିବ୍ରତା ଧର୍ମ ? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥାଏ କିନ୍ତୁ ମହେଶବାବୁଙ୍କ ପାଖରେ ନଥାଏ ତାହାର ଉତ୍ତର। ଏତିକିବେଳେ ଶ୍ବେତା ଆସି ପହଁଞ୍ଚିଲା। ଖୁବ୍ ବ୍ୟସ୍ତ, ବିବ୍ରତ ଲାଗୁଥିଲା। ସେ ମହେଶବାବୁ ଙ୍କ ବି.ପି ଚେକ୍ କଲା ,ଔଷଧ ଦେଲା। ମହେଶବାବୁ ତାକୁ ସେ ଫୋଟ ବିଷୟରେ ପଚାରିଲେ। ଶ୍ବେତା କହିଲା ସେଇଟା କାହାର ଫୋଟୋ ନୁହେଁ, ଗୋଟିଏ ପେଇଣ୍ଟିଙ୍ଗ୍ ମାତ୍ର। ତାପରେ ମହେଶବାବୁ ଭାବବିହ୍ବଳ ହୋଇ କହିଚାଲିଲେ ତାଙ୍କ ସ୍ମୃତି ସବୁ। ଶାନ୍ତିଦେବୀ ,ତାଙ୍କ ସ୍ତ୍ରୀ ,ଭାରି ସରଳ ଓ ନମ୍ର ସ୍ଵଭାବର lସେ ତ ଡାକ୍ତର। ତାଙ୍କ ପରିବାର ଆଭିଜାତ୍ୟ ସମ୍ପନ୍ନ ପରିବାର କିନ୍ତୁ ଶାନ୍ତିଦେବୀଙ୍କ ପରିବାର ମଧ୍ୟବିତ୍ତ। ବାହାଘରର କିଛିଦିନ ସେମାନେ ଖୁସିରେ ଚଳିଲେ। ତାପରେ ଆସିଗଲା ତାଙ୍କ ଜୀବନରେ କଳାବାଦଲ ଆଉ ଖିନ୍ଭିନ କରିଦେଲା ତାଙ୍କ ସମ୍ପର୍କକୁ। ସଙ୍ଗଦୋଷରେ ପଡି ସେ ସୁରାପାନ କଲେ ଓ ଯୌବନକୁ ଉପଭୋଗ କରିବାକୁ ଯାଇ ରଖିଲେ ଅନେକ ନାରୀଙ୍କ ସହ ସମ୍ପର୍କ।ସହରୀ ସଭ୍ୟତାରେ ଆଭିଜାତ୍ୟ ସମ୍ପନ୍ନ ପରିବାରରେ ଏସବୁ ଥିଲା ସାଧାରଣ। ସେଥିପାଇଁ ମହେଶବାବୁଙ୍କ ପରିବାରରେ ତାଙ୍କୁ ବିରୋଧ କରାଯାଇନଥିଲା। କେବଳ ଶାନ୍ତିଦେବୀ ଏହାର ବିରୋଧ କରୁଥିଲେ ଯଦିଓ ଏଥିପାଇଁ ସେ ନିର୍ଯ୍ୟାତନା ପାଉଥିଲେ କିନ୍ତୁ ପ୍ରଚେଷ୍ଟା ଜାରି ରଖିଥିଲେ। ଦିନକୁ ଦିନ ମହେଶବାବୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନିର୍ଯ୍ୟାତନା ଶାନ୍ତିଦେବୀଙ୍କ ଉପରେ ବଢିବାକୁ ଲାଗିଲା। ତାପରେ ସେମାନେ ତାଙ୍କୁ ଘରୁ ତଡିଦେଲେ। ସେହି ଦିନ ଠାରୁ ଶାନ୍ତିଦେବୀଙ୍କ ବିଷୟରେ ସେ କିଛି ଜାଣିନାହାଁନ୍ତି। ସେ ଯାହା ରୋଜଗାର କରୁଥିଲେ କ୍ଲବ୍,ବାର୍ ଯାଇ ସବୁ ଖର୍ଛ କରିଦେଉଥିଲେ।ଏମିତି କେତେ ବର୍ଷ ଗଲାପରେ ଯେତେବେଳେ ସେ ନିଜର ଭୂଲ ବୁଝିପାରିଲେ ଖୁବ୍ ଅନୁତାପ କଲେ। ଅନେକ ଖୋଜିଲେ ଶାନ୍ତଦେବୀଙ୍କୁ କିନ୍ତୁ ପାଇଲେନି। ପରିବର୍ତ୍ତନଶୀଳ ସମାଜରେ କେଉଁଠି ହଜିଯାଇଥିଲେ ଶାନ୍ତିଦେବୀ। ଭଣଜା ଲକି ଓ ଝିଆରି ରାନୁ କୁ ଖୁବ୍ ଭଲପାଉଥିଲେ ମହେଶବାବୁ। ସେମାନଙ୍କ ପଢାଖର୍ଛ ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନର ସବୁ ଖର୍ଛ ମହେଶବାବୁ ଭରଣା କରୁଥିଲେ। ଏମିତିକି ସେମାନଙ୍କର ବାହାଘର ମଧ୍ୟ ଖୁବ୍ ଧୁମ୍ଧାମ୍ ରେ ସେ ସମ୍ପାଦନ କରିଥିଲେ। ଘର,ବ୍ୟାଙ୍କ ବ୍ୟାଲାନ୍ସ ସବୁ ସେମାନଙ୍କ ନାଁ ରେ କରିଦେଇଥିଲେ କିନ୍ତୁ ଯେତେବେଳେ ସେ ବୃଦ୍ଧ ହୋଇଗଲେ, ସେମାନେ ତାଙ୍କୁ ଆଉ ପଚାରିଲେନି। ନିର୍ଯ୍ୟାତନା ଦେଇ ଘରୁ ବାହାର କରିଦେଲେ। ଏତିକି କହୁକହୁ କାନ୍ଦି ପକାଇଲେ ମହେଶବାବୁ । ଶ୍ବେତା ସବୁ ଶୁଣି କହିଲା ବଡ ସ୍ବାର୍ଥପର ଏ ଦୁନିଆଟା ସାର୍। ସମସ୍ତେ ଏଠାରେ ନିଜ ନିଜ ସ୍ବାର୍ଥ ପାଇଁ ବ୍ୟସ୍ତ। ନାରୀମାନଙ୍କ କଥା କହିଲେ ନ ସରେ।ସେମାନେ ଖୁବ୍ ନିର୍ଯ୍ୟାତିତ ହୁଅନ୍ତି ସ୍ବାର୍ଥପର ସ୍ବାମୀଙ୍କ ଦ୍ବାରା । ପୁରୁଷମାନେ ସେମାନଙ୍କୁ ଖେଳଣା କଣ୍ଢେଇ ବୋଲି ଭାବନ୍ତି। ଯେତେବେଳେ ଚାହାଁନ୍ତି ସେମାନଙ୍କ ସହିତ ଖେଳନ୍ତି ଆଉ ଖେଳ ସରିଗଲେ ,ମନ ଭାଙ୍ଗିଗଲେ ରାସ୍ତାକଡ କୁ ଫିଙ୍ଗି ଦିଅନ୍ତି। ସେଥିପାଇଁ ମୁଁ ବାହା ନ ହେବା ପାଇଁ ନିଷ୍ପତ୍ତି ନେଇଛି।

      ଶ୍ବେତା ପରି କଅଁଳ କଢି ମୁଁହରୁ ପୁରୁଷ ମାନଙ୍କ ପ୍ରତି ଏପରି ମନୋଭାବ ଶୁଣି କେମିତି ବିଚଳିତ ହୋଇଗଲେ ମହେଶବାବୁ। ଶ୍ବେତାର କଥାଗୁଡାକ ମହେଶବାବୁଙ୍କ ଛାତିରେ ଶର ପରି ବିନ୍ଧି ହୋଇଯାଉଥିଲା। ସେ ଅସହଜ ମନେକରୁଥିଲେ ତଥାପି ଧୀର ସ୍ବରରେ କହିଲେ ନାହିଁରେ ମା', ସବୁ ପୁଅ ଏମିତି ନୁହଁନ୍ତି। ଯେଉଁ ପୁରୁଷ ନାରୀଙ୍କୁ ଅସମ୍ମାନ କରିଛି ସେ ଆଜି ମୋ ପରି ପରିତ୍ୟକ୍ତ। ସତରେ ସ୍ତ୍ରୀ ହେଉଛି ଘରର ଲକ୍ଷ୍ମୀ। ଘରର ଲକ୍ଷ୍ମୀଙ୍କୁ ହତାଦର କରୁଥିବା ଲୋକ ସମାଜରେ ହତାଦର ହିଁ ହୁଏ। ତୁ ଯଦି ଏମିତି ନିଷ୍ପତ୍ତି ନେବୁ ସମାଜ କେମିତି ଚାଲିବ ମା .....?? ତାପରେ ଶ୍ବେତା କୁ ବିବ୍ରତ ହେବାର କାରଣ ପଚାରିଲେ । ଶ୍ଵେତା କହିଲା ତା'ର ଅଧିକ ପାଠ ପଢିବାକୁ ଇଛା କିନ୍ତୁ ତା ମା' ତାକୁ ସହରକୁ ପାଠ ପଢିବାକୁ ଛାଡୁନାହାଁନ୍ତି। ମହେଶବାବୁ ଶ୍ବେତାକୁ ବୁଝାଇବାକୁ ଯାଇ କହିଲେ ତୁ ବ୍ୟସ୍ତ ହୁଅନା ମା' । ମୋ ଦେହ ତ ଭଲ ହୋଇଗଲାଣି। ମୁଁ ଯିବି ତୁମ ମା'ଙ୍କୁ ଏ ବିଷୟରେ ବୁଝେଇବି। ସାର୍ ଙ୍କ ମୁଁହ ରୁ ଏକଥା ଶୁଣି ଶ୍ବେତା ଆନନ୍ଦରେ ବିଗଳିତ ହୋଇଗଲା । ପଚାରିଲା ଆପଣ ଆମ ଘରକୁ କେବେ ଆସିବେ ସାର୍ ? ମୁଁ ମମିଙ୍କୁ ଆଜି କହିଦେବି , ସେ ଆପଣଙ୍କ ପାଇଁ ଭଲ ରୋଷେଇ କରିଦେବେ। ମହେଶବାବୁ ଟିକେ ହସି କହିଲେ ତୁମ ମମି କ'ଣ ଭଲ ରୋଷେଇ କରିପାରନ୍ତି ? ହଁ ସାର୍ ଇଣ୍ଡିଆନ୍, ଚାଇନିଜ୍,କଣ୍ଟିନେଣ୍ଟାଲ୍ ସବୁ ପ୍ରକାର ରୋଷେଇ ସେ ଭଲ ରେ କରିପାରନ୍ତି। ତୁମ ଘରେ କିଏ କିଏ ରହୁଛ ମା' ? ମହେଶବାବୁ ପଚାରିଲେ। ଶ୍ବେତା ପିଲାଳିଆମି ଢଙ୍ଗରେ କହିଲା ମମି ଆଉ ମୁଁ। ଆଉ ତୁମ ବାପା ? ଶ୍ବେତାର ଆଖି ଲୁହ ଛଳଛଳ ହୋଇଗଲା। ଗୁରୁ ଗମ୍ଭୀର ସ୍ବରରେ କହିଲା ମୋ ବାପା ନାହାଁନ୍ତି ସାର୍। "Oh! so sorry ବାପା କେବେଠାରୁ ଚାଲିଗଲେଣି ମା' ?" ମହେଶବାବୁଙ୍କ ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ବେତା କହିଲା ମୋ ବାପା expired କରିନାହାଁନ୍ତି ସାର୍। ଏଇଟା ହିଁ ମୋ ଜୀବନର ବଡ ଦୁଃଖ।ବାପା ଥାଇ ବି ମୁଁ ଆଜି ପିତୃହୀନ। ମୋ ବାପା ମୋ ମା'ଙ୍କୁ ଘରୁ ତଡିଦେଇଥିଲେ। ସେ ଅନ୍ୟ ଏକ ଝିଅ କୁ ବାହାହୋଇ ରହିଲେ । ମୁଁ ସେତେବେଳକୁ ଜନ୍ମ ହୋଇନଥିଲି l ମାଁ କୁହନ୍ତି ମୁଁ ଜନ୍ମ ହେଵାପରେ ସେ ଆଉ ମୁଁ ସେହି ଦିନଠାରୁ ଅଲଗା ରହିଆସିଛୁ। ଏ ସମାଜ ମୋ ମାଆଙ୍କୁ ପରିତ୍ୟକ୍ତା ଆଖ୍ୟା ଦେଇଛି ....। କହି ଜୋର୍ ରେ କାନ୍ଦିବାକୁ ଲାଗିଲା ଶ୍ବେତା। ଓଃ ଏକଥା ତମେ ତ ମତେ ଆଗରୁ କହିନ ...ଶ୍ବେତା କୁ ବୁଝେଇବାକୁ ଯାଇ ମହେଶବାବୁ କହିଲେ। ଶ୍ବେତା କହିଲା ଆପଣଙ୍କୁ ଦେଖିଲା ପରେ ମୋର ବେଳେବେଳେ ମନେ ହୋଇଛି ଯେମିତି ମୁଁ ମୋ ବାପାଙ୍କୁ ପାଇଛି। ମୁଁ ତ ଆଗରୁ କେବେ ବାପାଙ୍କ ସ୍ନେହ, ଆଦର ପାଇନି ସେଥିପାଇଁ ମୋର ଭୟ ହେଉଥିଲା ଯଦି ମୁଁ ମୋ ବିଷୟରେ ଆପଣଙ୍କୁ କହିଦିଏ, କାଳେ ଆପଣ ମତେ ଘୃଣା କରିବେ। ମୁଁ ଆପଣଙ୍କୁ ହରେଇବାକୁ ଚାହୁଁନଥିଲି ସାର୍ । ସେଥିପାଇଁ କହିନି। ମହେଶବାବୁଙ୍କ ଆଖି ବି ଲୁହ ଛଳଛଳ ହୋଇଗଲା ଓ ଧାରଧାର ଲୁହ ବହିବାକୁ ଲାଗିଲା। ଶ୍ବେତାର ମୁଣ୍ଡରେ ହାତ ବୁଲାଇ ମହେଶବାବୁ କହିବାକୁ ଲାଗିଲେ ଆରେ ମା ମୋର ସେ ଭାଗ୍ୟ କାହିଁ ତୋ ବାପା ହେବାକୁ । ତୁ ମୋ ପରି ଗୋଟିଏ ସ୍ବାର୍ଥପର ଲୋକଟାକୁ ବାପା ପରି ସମ୍ମାନ ଦେଉଛୁ। ମୁଁ ସେ ସୌଭାଗ୍ୟ ର ଅଧିକାରୀ ହେବାକୁ ଯୋଗ୍ୟ ନୁହେଁ ମା'। ତୁ ମୋର ଏତେ ସେବା କରୁଛୁ । ତୁ ଟଙ୍କା ଖର୍ଛ କରି ମୋର ଔଷଧପତ୍ର, ଚିକିତ୍ସା ସବୁ କରୁଛୁ। ସତ କହିବାକୁ ଗଲେ ତୋରି ପାଇଁ ହିଁ ମୁଁ ଆରୋଗ୍ୟ ଲାଭକଲି । ଅତ୍ୟନ୍ତ ଦୁଃଖର ସହିତ ମହେଶବାବୁ କହିଲେ।

       ଶ୍ବେତା ମହେଶବାବୁଙ୍କୁ କାଲି ଘରକୁ ଆସିବାକୁ କହି ଚାଲିଗଲା । ଏପଟେ ମହେଶବାବୁ ଭାବିବାକୁ ଲାଗିଲେ ଏତେ ଦୁଃଖୀ ଝିଅଟା ତଥାପି ମୁଁହରେ ତାର ଶାନ୍ତି ବିରାଜମାନ। ଦୁଃଖକୁ ଦୃଦୟରେ ଚାପି ହସିହସି ସେ ସମସ୍ତଙ୍କ ସେବା କରୁଛି । ତା' ପରଦିନ ଥିଲା ରବିବାର। ମହେଶବାବୁ ସାଢେ ଦଶଟାରେ ଶ୍ବେତା ଘରକୁ ଯିବାପାଇଁ ବାହାରିପଡିଲେ । ପଚାରି ପଚାରି ଯାଇ ଘର ପାଖରେ ପହଁଞ୍ଚିଗଲେ। ଦେଖିଲେ କବାଟ ଖୋଲାଅଛି । ବାହାରେ ରହି ଡାକିଲେ । ଘରଭିତରୁ ସ୍ବର ଶୁଭିଲା ଶ୍ବେତା ନାହିଁ, ବାହାରକୁ ଯାଇଛି। ଆପଣ ଘରକୁ ଆସି ବସନ୍ତୁ, ସେ ସାଙ୍ଗେ ସାଙ୍ଗେ ଆସିଯିବ। ମହେଶବାବୁ ଘରକୁ ଗଲେ । ସୋଫା ଉପରେ ବସିଲେ । ଚାରିଆଡେ ଥରେ ନଜର ବୁଲେଇ ଆଣିଲେ । ଦେଖିଲେ ଘରର ଗୋଟିଏ କୋଣରେ ବହିଥାକ ପାଖରେ ଗୋଟିଏ ଫଟୋ ଟଙ୍ଗା ହୋଇଛି। ଟିକେ ନିରେଖି ଦେଖିଲାପରେ ଭାବିଲେ ଏଇଟା ତ ମୋ ଫଟୋ । ମୁଁ କଲେଜରେ ପଢୁଥିଲା ସମୟରେ ଏ ଫଟୋ ଟି ଉଠେଇଥିଲି । ଏ ଫଟୋଟି ଏଠାକୁ କେମିତି ଆସିଲା ? କିଏ ଆଣିଲା ? ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା। କାଳେ ଶ୍ବେତା ଆଣିଥିବ ....। ତାପରେ ସେ ଭାବିଲେ ଏ ତ ମୋର କଲେଜ ବେଳର ଫଟୋ । ଶ୍ବେତା କଣ ମତେ ଆଗରୁ ଚିହ୍ନିଥିଲା ଯେ ଏ ଫଟୋ ଆଣିବ ? ଏମିତି ଭାବୁଭାବୁ ଶ୍ବେତା ଆସିଲା । ସେ ବଜାରକୁ ଯାଇଥିଲା କିଛି ମିଠା ଆଣିବା ପାଇଁ। ସେ ଘରେ ସାର୍ ଙ୍କୁ ଦେଖି ବହୁତ ଖୁସି ହୋଇଗଲା। ବସି ଗପିବାକୁ ଲାଗିଲା କିନ୍ତୁ ମହେଶବାବୁଙ୍କ ମନ ଗପରେ ଲାଗୁନଥାଏ । କଥାଛଳରେ ସେ ଶ୍ବେତାକୁ ପଚାରିଲେ ସେ ଫଟୋ ବିଷୟରେ । ଶ୍ବେତା ମଧ୍ୟ କିଛି ଜାଣିନଥିବା କହିଲା । ସେ କହିଲା ମୁଁ ପିଲାଦିନୁ ଦେଖିଛି ସେ ଫଟୋ ଟା ସେଠି ଅଛି । ମା' ମଧ୍ୟ ମତେ ସେ ଫଟୋ ବିଷୟରେ କିଛି କହିନାହାଁନ୍ତି । ସେ ମା' ଙ୍କୁ କହିଲା ସାର୍ ଙ୍କ ପାଇଁ ଖାଇବାକୁ ବାଢିବାକୁ । ମା' ମଧ୍ୟ ଖାଇବାକୁ ବାଢିସାରି ଆସିଲେ ସାର୍ ଙ୍କୁ ଡାକିବାକୁ। ଶ୍ବେତା ସାର୍ ଙ୍କ ବିଷୟରେ ସବୁକଥା ମାଆଙ୍କୁ କହିଛି । କିନ୍ତୁ ଯେତେବେଳେ ଶ୍ବେତା ର ମାଆ ମହେଶବାବୁଙ୍କୁ ଦେଖିଲେ ଟିକିଏ ହଡବଡେଇଗଲେ । ଏପଟେ ମହେଶବାବୁ ଶ୍ବେତାର ମାଆଙ୍କୁ ଦେଖି ଶ୍ବେତା ବିଷୟରେ ଯାହା କହିବାକୁ ଆସିଥିଲେ ସବୁ ଭୂଲିଗଲେ। ତାଙ୍କ ପାଦତଳୁ ମାଟି ଖସିଗଲା ପରି ଲାଗିଲା । ତାଙ୍କ ପାଟିରୁ କଥା ସ୍ପୁରିଲା ନାହିଁ। ସେ ମନେମନେ ଭାବିଲେ ମୁଁ ଯାହା ଭାବୁଛି, ଦେଖୁଛି ସବୁ ସତ ନା ମୋ ଭାଗ୍ୟ ପୁଣିଥରେ ମତେ ଛଳନା କରୁଛି । ଏପଟେ ଶ୍ବେତା ର ମାଆା ମଧ୍ୟ କିଛି ବୁଝିପାରିଲେ ନାହିଁ। ସେହି ଚିହ୍ନା ମୁଁହ, ସେହି ଆଖି, ସେହି ହସ .....। ଏମିତି ଦୁହେଁ ଦୁହିଁଙ୍କୁ ଆଶ୍ଚର୍ଯ୍ୟ ଭାବେ ଚାହିଁବାର ଦେଖି ଶ୍ବେତା ପରିଚୟ ଦେଲା ମମି ଇଏ ହିଁ ସେହି ସାର୍, ଯାହାଙ୍କ ବିଷୟରେ ମୁଁ ତମକୁ କହୁଥିଲି । ଏପଟେ ମହେଶବାବୁଙ୍କୁ କହିଲା ସାର୍ ଇଏ ହେଉଛନ୍ତି ମୋ ମମି। ମହେଶବାବୁ କହିଲେ ହଁ ଶ୍ବେତା ତମ ମମିଙ୍କୁ ବୋଧେ ମୁଁ କେଉଁଠି ଦେଖିଛି । ତାଙ୍କ ନାଁଟା କ'ଣ କୁହତ ? ଶାନ୍ତିପ୍ରିୟା ଦାଶ ଶ୍ବେତା କହିଲା। ଏପଟେ ଶାନ୍ତିଦେବୀଙ୍କ ଆଖିରୁ ଅନବରତ ଲୁହ ଝରି ଆସୁଥାଏ।

      ମହେଶବାବୁ ଶାନ୍ତିଦେବୀଙ୍କ ପାଖକୁ ଗଲେ । ଆଣ୍ଠୁମାଡି, ହାତଯୋଡି ଭୂଲ କ୍ଷମା କରିବାକୁ ଅନୁରୋଧ କଲେ। ଶାନ୍ତିଦେବୀ ତ ଥିଲେ ମମତାର ସାଗର । ଯେଉଁ ପଦ ଯୁଗଳକୁ ସେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ , ତାକୁ ପାଖରେ ପାଇ ସେ ଆଉ ଧୌର୍ଯ୍ୟ ଧରି ରହିପାରିଲେ ନାହିଁ। ମହେଶବାବୁଙ୍କ ପାଦ ଦୁଇଟିକୁ ଧରି ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ସାରା ଆକାଶ ପୃଥିବୀ ସମ୍ଭୀଭୂତ ହୋଇଗଲା । ରାଗ, ଦ୍ବେଷ, ଘୃଣା ସବୁ ହାର ମାନିଗଲା ସେହି ପବିତ୍ର ପ୍ରେମ ପାଖରେ। ଜନ୍ମ ଜନ୍ମାନ୍ତର ର ସମ୍ପର୍କ ସୂଚେଇ ଦେଲା ଯେତେ ଦୂରରେ ଥିଲେ ମଧ୍ୟ " ମୁଁ ହିଁ ତୁମର "। ଶ୍ବେତା କିଛି ବୁଝିପାରୁନଥାଏ। ଶ୍ବେତାକୁ ପାଖକୁ ଡାକି ମହେଶବାବୁ କହିଲେ ହଁ ଶ୍ବେତା, ମୁଁ ହିଁ ସେହି ଅଭାଗା ବାପା ତୋର । ମୋର ଭୂଲ ପାଇଁ ତୁମେମାନେ ଏତେ କଷ୍ଟ ପାଇଲ। ମୁଁ ହିଁ ତୋ ମା' କୁ ଘରୁ ବାହାର କରିଦେଇଥିଲି। ସେତେବେଳେ ତୁ ତୋ ମା ଗର୍ଭରେ ଥିଲୁ । ଧିକ୍ ମୋ ଜୀବନ । ମୋର ସ୍ବାମୀ ପଣିଆକୁ ଧିକ୍, ମୋର ପିତୃତ୍ବ କୁ ଧିକ୍ ....କହି ନିଜକୁ ଧିକ୍କାର କରିବାକୁ ଲାଗିଲେ। ଶ୍ବେତା ଓ ଶାନ୍ତିଦେବୀ ଯେତେ ବୁଝାଇଲେ ମଧ୍ୟ ସେ ବୁଝିବାକୁ ଥିଲେ ନାରାଜ୍। ଜୀବନସାରା ତୁମ ମାନଙ୍କୁ କଷ୍ଟ ଦେଲାପରେ ଏବେ ମୁଁ ତୁମ ମାନଙ୍କ ଉପରେ ବୋଝ ହେବାକୁ ଚାହୁଁନି କହି ଚାଲିଯିବାକୁ ବାହାରିଲେ। ମୁଁ ଜଣେ ପରିତ୍ୟକ୍ତ। ପରିତ୍ୟକ୍ତ ହୋଇ ରହିବାକୁ ଚାହେଁ ବୋଲି କହିଲେ । ବହୁତ ବୁଝାଇଲା ପରେ ସେ ଘରକୁ ଆସିଲେ। ପୁଣି ଥରେ ପ୍ରାଣପ୍ରିୟା ପତ୍ନୀ ଓ କନ୍ୟାକୁ ପାଇ ସେ ବିଭୋର ହୋଇଗଲେ । ଭଗବାନଙ୍କୁ କୃତଜ୍ଞତା ଜଣାଇଲେ ଓ କହିଲେ ଯିଏ ନିଜ ସ୍ତ୍ରୀ କୁ ଅଣଦେଖା କରେ, ହତାଦର କରେ, ସମାଜ ବି ତା'କୁ କରିଦିଏ ପରିତ୍ୟକ୍ତ...।


Rate this content
Log in