ପ୍ରୀତିର ବନ୍ୟା
ପ୍ରୀତିର ବନ୍ୟା


ନଈ ଆରପାରି ମୋ ପ୍ରିୟାର ଗାଁ
ନଈ ଏପାରିରେ ମୋ ଟିକି ଗାଆଁ
ଦୁହିଁଙ୍କର ଭେଟ ହେଉଛି ନିଇତି
ଭାସିଯାଏ ଯେବେ ମନର ନାଆ ।
ପ୍ରିୟା ଚାଲିଆସେ ବୋହୂ ସାଜି ସ୍ୱପ୍ନେ
ଆଖି ପଲକରୁ ଦୂରେ ରହେନା
ବିନା ଫଗୁଣରେ ଗଭା ଗଜରାରେ
ମହକି ଉଠେ ମୋ ଘର ଅଗଣା ।
ତା ପାଉଁଜି ଶବ୍ଦ ପ୍ରୀତିର ସଙ୍ଗୀତ
କାନର ଝୁମୁକା ତୋଳେ ମୂର୍ଚ୍ଛନା
ଲାଜେଇ ଲାଜେଇ କହିଯାଏ ମୋତେ
ମୋ ହୃଦୟେ ଲେଖା ତା'ର ଠିକଣା ।
ନଈ ସୁଅ ପରି ପ୍ରିୟା ଚୁଲୁବୁଲି
ଆସି ଫେରିଯାଏ ଧରିପାରେନା
କେବେ ଆସିବ ମୋ କନିଆଁ ସାଜି ସେ
ନଈ ଢାଳିଦେଵ ପ୍ରୀତିର ବନ୍ୟା ।