ପ୍ରୀତି ଶ୍ରାବଣୀ
ପ୍ରୀତି ଶ୍ରାବଣୀ
ଆଖି ଶ୍ରାବଣରେ
ତୁମରି ଚିତ୍ରପଟ
ଚିତ୍ରପିଚ୍ଛକ ।
ମନ ଗନ୍ତାଘରୁ
ପ୍ରତ୍ୟହ ନିରବ ତଟକୁ ଛୁଇଁ
ଓଠ ସାଗରକୁ
ଲମ୍ଫ ମାରୁ ଥାଏ
ଏଇ ନିର୍ଦ୍ଦୟ ଅଶ୍ରୁ ,
ଜୀବନ ଲକ୍ଷ୍ମଣ ରେଖାକୁ
ପାରି କରିବାକୁ
ସତର୍କ ଘଣ୍ଟି ଦେଲେ ବି
ଅମାନିଆ ପରି ହୁଏ ।
ସେ ପରା "ପ୍ରୀତି ଶ୍ରାବଣୀ"
ପ୍ରଖର ଉତ୍ତାଳ ଉଲ୍ଲମ୍ଫନର
ସୃହା ଉଦ୍ଗିରଣ
ସୀମା ହୀନ ପ୍ରେମ ପାରାବାରେ
ଏକାକାର ହେବା ପାଇଁ ।
ଅତଳ ଗର୍ଭରୁ
ସତେ ଯେମିତି ସାଉଁଟେ
ଅମୂଲ୍ୟ ମୁକୁତା ନିଧି,
ତାର ଉଦ୍ଦୀପନା ବିକିରଣ
ଦୁଃଖ ଅମାବାସ୍ୟାକୁ ଭେଦି
ମନ ଅଗଣାରେ ଫୁଟାଇବ
ଲକ୍ଷେ ପାରିଜାତ ।
ଚହଲା ଚଗଲା ବୟସ
ଅଙ୍କ ରାଇଜରେ
ଢାଳି ଦେବ ଅଜସ୍ର ସ୍ନେହ ।
କେତେ ଯେ ସରସିଜ ଈର୍ଷାରେ
ଝାଉଁଳି ମଉଳି ଗଲେ,
ଭିଜା ଭାଜା ପ୍ରୀତି ବାସ୍ନାରେ
ମହକିଲା ରାତିରାଣୀ
ପୁଣି ରଜନୀଗନ୍ଧା ।
ଆଜି ମୁଁ ଭିନ୍ନ ମୋଡରେ
ତୁମକୁ ଅଭିଷିକ୍ତ କରିବି
ଏଇ ମୋର ହୃଦୟ
ସିଂହାସନରେ ।
ମୁଁ ଯେ ତୁମର ପ୍ରେୟସୀ
"ପ୍ରୀତି ଶ୍ରାବଣୀ" ।
ସୁଧା ପୂର୍ଣ୍ଣ କୁମ୍ଭ ପ୍ରେମ ପିଆଲିରୁ
ହେଉ ଶୁଭାରମ୍ଭ ।