ପ୍ରୀତି ପ୍ରୀତି
ପ୍ରୀତି ପ୍ରୀତି
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ପ୍ରୀତି ପ୍ରୀତି ବୋଲୁ ସହି, କି ଜିନିଷ ସେହି
ଜାଣୁ ନାହୁଁ ଯେଣୁ,କିଶୋରୀ ।୦।
ମନ ଚାରି ଆଡେ ତୋର, ଭ୍ରମିବ ଯେ ଘୋର
ଚିନ୍ତା ଦେବ ମରମ ଘାରି ।୧।
ବିଦାରି ହୋଇବ ତୋହର ହୃଦ
ବଢିଯିବ ଧୀରେ ଧୀରେ ବିଷାଦ
ଅବଶେଷରେ ସୀମା ଅତିକ୍ରମ କରିବ
ନ ପାରିବୁ ଧଇର୍ଯ୍ୟ ଧରି ।୨।
ନୟନ ଆନ ଆଉ ନ ଦେଖିବ
ଶ୍ରବଣ ଆନ ଆଉ ନ ଶୁଣିବ
ଭୋଜନ ବିଷ ପରି ଲାଗି ହୃଦ-କାନନ
ଦହି ହେବ,ତୁ ଯିବୁ ସରି ।୩।
ମଣି ହରା ଫଣି ହୁଏ ଯେସନ
ପ୍ରଣୟରେ ପଡ଼ି ହେବୁ ତେସନ
ଜାଣିବୁ ତେତେବେଳେ ପ୍ରୀତି ରୀତି ବିଷମ
ହେବୁ ସିନା କ୍ଷିପ୍ତାର ପରି ।୪।
କିଶୋରୀ ମନ ଅନୁପ ବୋଲ
ପୀରତିର ପଥ ବଡ଼ ପିଚ୍ଛିଳ
ସେଇ ପଥ ଧଇଲେ ନିଶ୍ଚେ ଖସି ପଡ଼ିବୁ,
ମହତକୁ ଦେବୁ ତୋ ସାରି ।୫।
ସମାପ୍ତ