ପରୀ କାହାଣୀ
ପରୀ କାହାଣୀ
ଅନେକ ଦିନର କଥା
ଗପଟି ଶୁଣିବାକଥା।
ଆକାଶେ ପାଆନ୍ତି ଶୋଭା
ଦୁଇ ତାରା ମନଲୋଭା ।
ଆକାଶ ସେହି ରାଇଜ
ଏକଥା ପିଲାଏ ହେଜ।
ରାଜା ସେ ପରୀ ରାଇଜେ
ନିତି ନୂଆ ପିନ୍ଧି ସାଜେ ।
ତାଙ୍କ ପାଖେ ଥାଏ ପରୀ
ପୋଷାକ ଯୋଗାଏ କରି।
ଖୁସି ହୁଅନ୍ତି ସେ ରାଜା
ପୁରସ୍କାର ଦେବା ଇଛା।
ଖିଆଲି ରାଜାଟି ଜାଣ
ରାଣୀ ଭାବନ୍ତି ଯେ ପୁଣ ।
ରାଣୀ ଙ୍କ ରାଜାଙ୍କୁ ଭୟ
ଦଣ୍ଡ ଦେବେ ଯେ ନିଶ୍ଚୟ ।
ରାଣୀଙ୍କ ବିଚାର ବୁଦ୍ଧି
ପଠାଇଲେ ପରୀ ପୃଥ୍ବୀ ।
ଛୁଟି ନିଅ ଝିଅ ମୋର
ଥକାପଣ କାଟି ଫେର ।
ରାଣୀଙ୍କ କଥାରେ ଖୁସି
ପରୀଝିଅ ଦେଲା ହସି ।
ରାଣୀଙ୍କ ଆଦେଶ ହେଲା
ସେବାୟତ ପଛେ ଗଲା ।
ଗାଈ ଟିଏ ହୋଇ ରହେ
ଚାଷୀ ଘରେ ଖାଏ ପିଏ।
ଚାଷୀ ଦୁଇ ଭାଇ ସେଠି
ଭାଉଜ ଛନ୍ଦ କପଟି ।
ବିଷ ପିଠା ଦେଲା ଆଣି
ଦିଅର ନପାରେ ଜାଣି ।
ଖୁସି ମନେ ସାନଭାଇ
ବିଷ ପିଠା ଗଲା ନେଇ ।
ଗାଇକୁ ଦେଲା ସେ ପିଠା
ଗାଇ କଥା କହେ ସିଧା।
ଏହି ପିଠା ଖାଅ ନାହିଁ
ଶୁଣିଲା ଯେ ସାନ ଭାଇ।
ଆଚମ୍ବିତ ହେଲା ଜାଣ
ପଚାରେ ଏହା କାରଣ।
ଭାଉଜ ରଖେ କୁକୁର
କରେ ସେ ଗେହ୍ଲା ଆଦର।
ହିଂସା ବୁଦ୍ଧି କରେ ନାରୀ,
ଭାଇକୁ ଭାବେ ଭଗାରୀ।
ସମ୍ପତ୍ତି ଲୋଭଟି ଥିଲା
ଦିଅରକୁ ବିଷ ଦେଲା ।
ଏକଥା ଶୁଣିଲା ସାନ
କାହିଁରେ ନଲାଗେ ମନ।
ଗାଈ କୁହେ ପିଠାନିଅ
କୁକୁର କୁ ଖୋଇ ଦିଅ।
କୁକୁର ପିଠା ଖାଇଲା
ସଙ୍ଗେ ସଙ୍ଗେ ମରିଗଲା ।
ଭାଉଜ ଘରେ ଫେରିଲା
ମଲା କୁକୁର ଦେଖିଲା ।
ସହରରୁ ବଡ ଭାଇ
ପହଞ୍ଚି ଦେଖିଲା ଯାଇ।
ଶୁଣିଲା ସାନଠୁ ସତ
ଦେଲାନାହିଁ କିଛି ମତ।
ସାନ ଭାଗବଣ୍ଟା ଖୋଜେ
ଜୀବନ ଯେଉଁଠି ହଜେ ।
ନିରାପଦ ନାହିଁ ସିଏ,
ଜମିଭାଗ ନେବ କୁହେ ।
ଭାଉଜ ସାନକୁ ତଡେ,
ଗାଳିଦେଇ ଘରୁ କାଢେ ।
ଗାଆଁ ଛାଡି ସାନ ଭାଇ
ଗଲା ସାଥି ଧରି ଗାଈ ।
କେତେ ଗାଆଁ ଗଲାପରେ
ବସିଲା ପାହାଡ଼ ତଳେ ।
ଭାବିଲା ଘରଟେ ଥିଲେ
ରହନ୍ତା ଆନନ୍ଦେ ଭଲେ ।
ସଙ୍ଗେ ସଙ୍ଗେ ଘର ହେଲା
ପରୀ ଗାଈ ତୋଳି ଦେଲା ।
ଚାଷ ସରଞ୍ଜାମ ପାଇଁ
ମନ ବଳେଇଲା ସେହି ।
ସବୁକିଛି ମିଳିଗଲା
ପରୀ ଗାଈ ସବୁ କଲା ।
କଲା ଚାଷ ସାନ ଭାଇ
ରହିଲା ସୁଖରେ ସେହି ।
ମନକଲା ହେବ ବିଭା
ଭଲ ଝିଅ ହେଲା ଉଭା ।
ରାଜା ଖୋଜିଲେ ପରୀକୁ
ପଠାନ୍ତି ସେଯେ ଦୂତକୁ ।
ପରୀ କନ୍ୟା ରାଜାଙ୍କର
ଆସିଥିଲା ପୃଥ୍ବୀ ପର ।
ପରୀ କନ୍ୟା ଗଲା ଧୀରେ
ଗାଧୋଇଲା ସରସୀରେ ।
ପରୀ କନ୍ୟା କୁ ଦେଖିଲା
ସାନ ମନ ଯେ ବଳିଲା ।
ଦୁହେଁ ରହିଲେ ସାଥିରେ
ପରୀକନ୍ୟା ଆନନ୍ଦରେ ।
ନଫେରେ ନିଜ ରାଜ୍ୟ କୁ
ରାଜା ଆଦେଶ ଦୂତକୁ ।
ଧରି ନେଇଗଲେ ପରୀ
ସାନ ଗଲା ପଛେ ତା'ରି ।
ରାଣୀ ଦେଖି କୋପ କଲେ
ଧଳା ଲୁଗା ବିଛାଇଲେ ।
ନଦୀଟିଏ ହୋଇଗଲା
ସାନ ଏପାରି ରହିଲା ।
ସେବେଠୁ ଅପେକ୍ଷା କରେ
ପରୀ ଆଉ ଯେ ନଫେରେ ।
ଦୂରେ ସିନା ଦେହ ଦୁଇ
ମନ ଥିଲା ଏକ ହୋଇ।
ଦୁଇଟି ତାରକା ଦୁହେଁ
ପରୀ କାହାଣୀ ଯେ କୁହେ।
