ପ୍ରଗଳ୍ଭା ନାୟିକା ବର୍ଷା
ପ୍ରଗଳ୍ଭା ନାୟିକା ବର୍ଷା
ପ୍ରିୟା ଗୋ ତୁମେ .....
ଦଗ୍ଧ ଉପବନ ଶିତଳ ସ୍ପନ୍ଦନ
ନିଝୁମ୍ ରାତିର ବର୍ଷା
ନିଶବ୍ଦ ଋତୁର ତପ୍ତ ଧୁମକେତୁ
ଗ୍ରୀଷ୍ମର ତୁମେ ଇର୍ଷା ।
ତୁନି ତୁନି ଆସ ନିରବେ ନିଶ୍ଚଳେ
ଚେତନା ଦରଜା ଖୋଲି
କଳ୍ପନା ବିଳାସୀ ଭାରି ଅଭିମାନୀ
ଝଟକେ ନହୁଲି ଚାଲି ।
ନୁପୁର ଓହ୍ଲାଇ ନାଇଥିବ ପାଦେ
ଅଭ୍ର ପାଦୁକାରୁ ହଳେ
ପ୍ରୀତି ଅଭିସାର ଉଆଁସ ରାତିର
ଭାଙ୍ଗିଯିବ ନିଦ କାଳେ !
ସ୍ନିଗ୍ଧ ମଳୟରେ ପଣତ ଉଡାଇ
ଝାଡିଦିଅ ମୁକ୍ତ ବେଣୀ
କ୍ଲାନ୍ତ ଅବନୀର ଅବସାଦ ମେଣ୍ଟୁ
ଶୀତମୁକ୍ତା ଦିଅ ବୁଣି ।
ଭିଜା ଭିଜା ଆଶା ଭିଜା ଭିଜା ସ୍ୱପ୍ନ
ପ୍ରଣୟର ଭିଜା ଭେଟି
ଭିଜା ପ୍ରୀତି ସ୍ପର୍ଶେ ରସାଳ ହୁଅଇ
ମନତଳ ପୋଡାମାଟି ।
ତୁମ ଆଗମନେ ପଲ୍ଲବିତ ଗିରି
ନିର୍ଝରିଣୀ ଗାଏ ଗୀତ
ଶୁଷ୍କ ଖୋଳାପାରୁ ଅଙ୍କୁରି ଉଠଇ
ଅମରକୋଷର ରକ୍ତ ।
ଶୁଷ୍କ ମରୁ ପରେ ପ୍ରେମ ବର୍ଷା ଜଳ
ସଂଜୀବନୀ ଅନୁପମେ
ମନ୍ଦ ମନ୍ଦାକିନୀ ତୃପ୍ତ କଲ୍ଲୋଳିନୀ
"ପ୍ରଗଳ୍ଭା ନାୟିକା" ତୁମେ ।।

