STORYMIRROR

Anjana Naik,Anju..Deogarh

Romance

4  

Anjana Naik,Anju..Deogarh

Romance

ପ୍ରେମର ଆବେଗ

ପ୍ରେମର ଆବେଗ

1 min
351

ଭାବପ୍ରବଣତା ବଶତଃ 

ତୋ ପ୍ରେମର ନଈରେ ଭାସି ଭାସି 

ଥଳ କୁଳ ହରେଇ ମୁଁ ସାଜିଛି ନିଶ୍ବ 

ଯାହାଥିଲା ତୋ ନାଆଁରେ ଲେଖିଦେଲି।। 


ମନ ହଜିଯିବ ବୋଲି

ବୟସକୁ ଷୋଳ ଫଗୁଣରେ

ତାଲା ପକେଇ କଞ୍ଚିକୁ ପଣତରେ ବାନ୍ଧି 

କମରରେ ଯତନରେ ଖୁଞ୍ଚି ଥିଲି ।।


ମନ ବଦଳିଯିବ ବୋଲି 

ତିନି ଚ଼ାରି ଥାକ ଛିଣ୍ଡା କନା ଗୋଡ଼େଇ

ପୋଟଳି କରି ବାଉଁଶ ପେଡ଼ିର 

ଫରୁଆରେ ସାଇତି ରଖିଥିଲି ।।


ମନ ଭିଜି ଯିବ ବୋଲି

ଶ୍ରାବଣରେ ତାଳ ବରଡ଼ାର ଝାମ୍ପି ଘୋଡ଼େଇ

ନିଶାରାତି ଦଦରା ଚ଼ାଳର

କୁଡ଼ିଆ ଘରେ ଆଶ୍ରୟ ନେଇଥିଲି ।।


ମନ ରଙ୍ଗି ଯିବ ବୋଲି 

ହଳଦୀବସନ୍ତକୁ କହିଥିଲି 

କୃଷ୍ଣ ଚୁଡା଼ର ସବୁରଙ୍ଗ ଚ଼ୋରେଇ ନେଇ

ଇନ୍ଦ୍ରଧନୁରେ ବୋଳି ଦେବବୋଲି ।।


ମନ ମହକିବ ବୋଲି 

କୋଇଲିକୁ କହଥିଲି କୁହୁକୁହୁ ତାନରେ

ଆମ୍ବ ବଉଳର ପେନ୍ଥାରେ

ବସନ୍ତକୁ ସ୍ବାଗତ କରିବ ବୋଲି।।


ମନ ଉଡ଼ିଯିବ ବୋଲି 

ମୋ ପଣତରେ ପ୍ରେମର ଫଲଗୁ ଲଗେଇ

କୁଆଁରୀ ବୁକୁରେ ଲୁଚେଇବା ପାଇଁ 

ସମୟକୁ ନିରୋଳାରେ କହିଥିଲି ।।


ମନ ଚ଼ହଲିବ ବୋଲି ତ

ନିଶାରାତି ମାଦଳର ତାଳେ ତାଳେ 

ମହୁଲ ଫୁଲରେ ମହୁଆ ନିଶା ଭରି  

ଧାଙ୍ଗଡ଼ୀ ହୋଇ ନାଚ଼ୁଥିଲି ।।


ମନ କାନ୍ଦିବ ବୋଲି ତ 

ସବୁ ସମ୍ପର୍କକୁ ଅନାଦର କରି

କେବଳ ତୋ ହାତରେ ମୋ ହାତଟି

ନିର୍ବିଘ୍ନରେ ଛନ୍ଦି ଦେଇଥିଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance