ପ୍ରେମିକା
ପ୍ରେମିକା
ପ୍ରେମିକା
::::::::::::
ଆସିଥିଲ ତୁମେ ସପନରେ ମୋର
ହୃଦୟରେ ଗଲ ବସି
ମନ ଉପବନେ ଫୁଲ ଫୁଟିଗଲା
ତୁମେ ହେଲ ବାରମାସୀ I
ଚଇତରେ ତୁମେ ଚଇତି ସପନ
ବଇଶାଖୀ ଝାଞ୍ଜିଖରା
ଆଷାଢ ଆକାଶେ ମେଘଖଣ୍ଡ ତୁମେ
ଶ୍ରାବଣର ବାରିଧାରା I
ଭୋଦୁଅ ମାସର ଭୋଦେଇ ଖରାଲୋ
ବରଷା ବତୁରା ଛାତି
କାଶତଣ୍ଡି ବଣ ଧବଳ ପସରା
ଜୋଛନା ପଖଳା ରାତି I
ଆଶିଣ ମାସର ନିର୍ମଳ ଆକାଣ
"ମା" ଙ୍କର ଆବାହନୀ
କାର୍ତ୍ତିକରେ ତୁମେ ଶିରି ଶିରି ବାଆ
ପଞ୍ଚୁକର ଧର୍ମବାଣୀ I
ମଗୁଶୁର ମାସ ସୁନେଲି କ୍ଷେତଲୋ
କୁସୁମ ବଣର ଶିରୀ
ଚାଷୀକଣ୍ଠେ ତୁମେ ପ୍ରାଣ ଖୋଲା ହସ
ହସୁଥାଅ କିରିକିରି I
ପୁଷ୍ ପୁନେଇର ଆନନ୍ଦ ଉଲ୍ଲାସ
ମଳିନ ଦିଶଇ ଜହ୍ନ
ମାଘମାସେ ତୁମେ ଆସ ବାଘପରି
ଥରିଯାଏ ଦେହ ମନ I
ଆମ୍ବ ବଉଳର ମଧୁର ମହକେ
ଆସ ଯେବେ ହସି ହସି
ଫଗୁଣେ ମଳୟ ହୋଇ ବହୁଥାଅ
ଛୁଇଁ ଦେଇ ଯାଅ ଛାତି I
ତୁମେ ମୋ ପ୍ରେମିକା ଅଳସୀ ନାୟିକା
ପୀରତିର ଫୁଲବନ
ତୁମ ପାଇଁ ଦେଖେ କେତେ ମୁଁ ସପନ
ଭୁଲିଯାଏ ରାତି ଦିନ I