ପ୍ରେମିକା ଚନ୍ଦ୍ରମା
ପ୍ରେମିକା ଚନ୍ଦ୍ରମା
ଦୂର ରାଇଜର ଅପ୍ସରୀ ଗୋ ତୁମେ
ମୋ ମନ କନ୍ଦର ରମା
ତୁମ ବିନୁ ସତେ ଏ ଭବ ଅନ୍ଧାର
ନାମ ଟି ତୁମ ଚନ୍ଦ୍ରମା ।
ଶୁକ୍ଳ ପକ୍ଷର କୁଆଁରୀ କନିଆଁ
ଲାବଣ୍ୟ ମୋହିନୀ ବେଶେ
ତୁମ ପରଶ ରେ ପ୍ରଶାନ୍ତ ଗଗନେ
ନୀଳ କଇଁ ଫୁଟି ହସେ ।
ଶାନ୍ତ ସ୍ନିଗ୍ଧ ଝରେ ଜ୍ୟୋତ୍ସ୍ନାପ୍ଲୁତ
କିରଣ ତୁମ ଅଧରୁ
ଛୁଇଁଲା ମାତ୍ରେ ହିଁ ମନ ମୋ ଅଧୀର
ପଲ୍ଲବିତ ଶୁଷ୍କ ତରୁ ।
ପାଗଳ ଭଅଁର ଫୁଲ ପାଇଁ ଯେହ୍ନେ
ଘୁରି ବୁଲେ ଦେଶେ ଦେଶେ
ମୋ ମନ ଉଚ୍ଛନ୍ନ ଗୋଧୂଳି ବେଳାରେ
ଯଦି ତୋ ମୁଖ ନ ଦିଶେ ।
ଆକାଶ ଗଙ୍ଗାରୁ ଅବତରି ଆସ
କୋଟି କୋଟି ତାରା ଡେଇଁ
ମୋ ହୃଦୟ ପ୍ରାଙ୍ଗଣେ ଉଜ୍ଜ୍ଵଳେ ବିରାଜ
ଉଲ୍ଲାସେ ପୁଲକ ମହୀ ।
ବିତି ବିତି ଯାଏ ରଜନୀ ଯାମିନୀ
କେମନ୍ତେ ଜଣା ନପଡେ
ପ୍ରେମ ଆସ୍ୱାଦନେ ପ୍ରେମିକ ସତେକି
କାଳ ଦଣ୍ଡ ପଳ ଜାଣେ ।
ପାହାନ୍ତା ପ୍ରହରେ ସଙ୍ଗିନୀ ତୁମେଗୋ
ଫେରି ଯାଅ ପର କରି
ଚାତକ ପରି ମୁଁ ଚାହିଁ ବସିଥାଏ
ତୁମକୁ ମନ ରେ ଝୁରି ।
ଆସିବ ଆସିବ ପୁଣି ଯେ ଆସିବ
ବାନ୍ଧିଚି ମନରେ ଆଶା
ଶାଶ୍ୱତ ପ୍ରେମ ରେ ଧୋକା ଯେ ନଥାଏ
ଏହାହିଁ ମୋର ଭରସା ।

