ପ୍ରେମୀ ଯୁଗଳ
ପ୍ରେମୀ ଯୁଗଳ
ରକ୍ତିମ ପଶ୍ଚିମ ଆକାଶ ସୂରୁଜ
ଗୋଧୋଳିର ଆଗମନ,
ପକ୍ଷୀଙ୍କର ନୀଡ଼ ଅଭିମୁଖେ ଯାତ୍ରା
କରନ୍ତି ପ୍ରତ୍ୟାବର୍ତ୍ତନ ।
ଏ ଶୁଭ ମୁହୂର୍ତ୍ତେ ପ୍ରଜାପତି ଦୁଇ
ପ୍ରେମର ପରଶ ପାଇଁ ,
ଖୋଜୁଛନ୍ତି ଦୁହେଁ କାନନ ଉଦ୍ୟାନ
ସାଗରର ବେଳାଭୂଇଁ ।
ପାଇଗଲେ ଏକ ବିଜନ ସ୍ଥାନରେ
ବସିଥାନ୍ତେ ଦୁହେଁ ତଳେ,
ଗଢନ୍ତେ ତାଙ୍କର ପ୍ରେମ ଘର ଏକ
ରଖି ମୁଣ୍ଡ ଆନ କୋଳେ ।
ପିଲା ଦିନୁ ଦୁହେଁ ଖେଳି ବୁଲୁଥିଲେ
ଏକ ସାଙ୍ଗ ସାଥି ହୋଇ,
ଏବେ ଦୁହେଁ ପୁଣି ଯୁବକ ଯୁବତୀ
ଆଉ ସେହି ବେଳ ନାହିଁ ।
ସେ ବେଳର କଥା ଆଜି ଆଉ ନାହିଁ
କିଏ ଅଛି କେଉଁ ମତେ,
ସବୁ କିଛି ଆଜି ବଦଳି ଯାଇଛି
ଚିରନ୍ତନ ଏ ଜଗତେ ।
ଲୁଚି ଲୁଚି ପଦେ କଥା ହେବା ପାଇଁ
ଦୁହିଁଙ୍କର ମନ ହୁଏ,
ସୁଯୋଗ ମିଳୁନି ଥରେ ବି କାହାକୁ
କହିବାକୁ ଡର ଥାଏ ।
ଆଜି କାଲି ଏଇ ଚାଲି ଚଳଣିରେ
ରହିଛି ବହୁ ପାଚେରୀ,
ପାଚେରୀ କୁ ଡେଇଁ ଥରେ ପାରିହେଲେ
ସମାଜ ହୁଏ ଭଗାରି ।
ଏହି କଥା ସବୁ ଲାଗୁଛି ଅଡ଼ୁଆ
ହେଉଥାନ୍ତି କଲବଲ,
ଆଶ୍ଚର୍ଯ୍ୟ ଲାଗିଲା ଏହା ଶୁଣିବାକୁ
ଭଲ ପରା ହୁଏ ଭେଲ ।