ପ୍ରେମ
ପ୍ରେମ
ପ୍ରମିକା ସାଜିଛି ପ୍ରେମକୁ ଜିତିଛି
ପ୍ରେମ ଅଟେ ପ୍ରୀତିଫୁଲ
ପ୍ରେମ ପାରିଜାତ ଫୁଟିଛି ପରାଲୋ
କେ ଦେଇ ପାରିବ ମୂଲ।
ପ୍ରେମ ପାରାବାର ଉଚ୍ଛୁଳା ଲହରୀ
କୂଳକୁ ଛୁଇଁଛି ପରା
ପ୍ରେମର ଇଲାକା ତାର ବେଳାଭୂମି
ମୁକୁତା ରହିଛି ଭରା।
ପ୍ରେମର ମନ୍ଦିରେ ତୁମେ ମୋ ଦେବତା
ପ୍ରେମ ମୋର ଅର୍ଘ୍ଯଧୂପ
ପ୍ରେମର ପୁଷ୍ପର ଗୁନ୍ଥେ ନାହିଁ ମାଳା
ଅନନ୍ୟ ଅଟଇ ରୂପ।
ପ୍ରେମର ଶାମୁକା ଗୋଟିଗୋଟି କରି
ସାଇତିଛି ହୃଦେ ମୋର
ପ୍ରେମକୁ ନେଇ ମୁଁ ଗଢିଛି ସପନ
ଏଇତ ଜୀବନ ସାର।
ପ୍ରେମ ନିର୍ଝରିଣୀ ଝରି ଯାଏ ସିନା
ବନ୍ଧ ବାଡ ମାନେ ନାହିଁ
ପ୍ରେମର ଉଛୁଳା ସ୍ରୋତ ସ୍ରୋତସ୍ବନୀ
ସ୍ନେହ ପ୍ରେମ ଝରୂଥାଇ।
ପ୍ରେମ ନୁହେଁ କେବେ ପଙ୍କରେ ପଙ୍କିଳ
ନଥାଏ ଥ ଆବିଳତା
ପ୍ରେମକୁ ବୁଝିଛି ସିଏ ତ ଜାଣିଛି
ଜୀବନର ଗଭିରତା।
ପ୍ରେମ ତ ଅଟଇ ପବିତ୍ର ବନ୍ଧନ
ଚିହ୍ନିବାକୁ ଲୋଡା ମନ
ପ୍ରେମର ସମ୍ପର୍କ ହୃଦୟ ମିଳନ
ଯୁଗଯୁଗ ପାଇଁ ଜନ୍ମ।
ପ୍ରେମ ନୁହେଁ କେବେ ଜଳନାର ନାମ
ପ୍ରତାରଣା ନୁହେଁ ବାଟ
ପ୍ରେମର ପ୍ରତୀକ ତ୍ଯାଗର ସନ୍ତକ
ଏଇତ ଜୀବନ ନାଟ।