ଅନୁଭୂତି
ଅନୁଭୂତି
ମିଠା କବିତାର
ସହର ଗୋଟିଏ
ପାଇଥିଲି ଦିନେ ଖୋଜି
ପ୍ରୀତି ପରାଗରେ
ଥିଲା ଭରପୁର
ହୃଦୟ ମୋ ଗଲା ହଜି.
ଶିଶିର ଯେଉଁଠି
ମୁକୁତା ପାଲଟେ
ବିନ୍ଦୁ ବିନ୍ଦୁ ପଡେ ଝରି
ଫଗୁଣ ପରଶେ
ପବନ ମହକେ
ପ୍ରୀତି ବାସେ ଭୁରି ଭୁରି.
ଶବ୍ଦର ମାଧୁର୍ଯ୍ୟ
ଭାବର ପ୍ରାଚୁର୍ଯ୍ୟ
ହୃଦେ ଜାଗେ ଶିହରଣ
ଅନୁରାଗେ ଭରା
ମନ ବସନ୍ତରା
ସନ୍ତୁଷ୍ଟିର ନିମନ୍ତ୍ରଣ.
ସେଇ ସହରରେ
>
ମିଠା କବିତାରେ
ଲେଖାଥିଲା ମୋର ନାଆଁ
ଅଜଣା କବି ସେ
ଅଚିହ୍ନା ଲେଖନୀ
କେଜାଣି କେଉଁଠି ଗାଆଁ.
କେମିତି ରଚିଲା
ହୃଦୟ ଭାବନା
ହୃଦୟ ସାଥିରେ ଯୋଡି
କାବ୍ୟ ଉପମାରେ
ମାଟି କଣ୍ଢେଇକୁ
ସୁବର୍ଣ୍ଣରେ ଦେଲା ଗଢି.
ନାହିଁ ଆଜି ସେଇ
ସପନ ସହର
ନାହିଁ ସ୍ବପ୍ନ ସୌଦାଗର
ନାହିଁ ସେ କବିତା
ଭାବର ସଂହିତା
ସବୁ ଆଜି ସାତପର ।