ପ୍ରେମ ଋତୁର ଆଗମନେ
ପ୍ରେମ ଋତୁର ଆଗମନେ
ପ୍ରେମ ଋତୁ ଆସେ ବୋଳି ଅଙ୍ଗ ବାସେ
ଫଗୁଣର ପ୍ରୀତି ରଙ୍ଗ
ସେ ରଙ୍ଗ ରଙ୍ଗେଇ ମନ ଯେ ଖୋଜିବ
ନିତି ପ୍ରିୟା ତୋର ସଙ୍ଗ
ଚାଲ ସଖୀ ଯିବା ଥରେ
ଆକାଶକୁ ଚିରି ମେଘ ସେପାଖରେ
ଦୂର ଜହ୍ନ ରାଇଜରେ ।
ଆପଣା ଆପଣା ଭାବନା ସମ୍ଭାର
ପୁଞ୍ଜି କରି ଘେନି ଯିବା
ପ୍ରଣୟ ଆବେଗେ ପିରତୀ ସୋହାଗେ
ମିଳନ ଛନ୍ଦ ଯୋଡ଼ିବା
ବଙ୍କିମ ଚାନ୍ଦ କୋଳରେ
ଚୁମ୍ବିବି ତୋହର ନାଲି ଓଷ୍ଠଧାର
ସ୍ନିଗ୍ଧ ବିଜନ ବେଳାରେ ।
ତାରାଫୁଲ ତୋଳି ଗଭା ତୋ ସଜାଡ଼ି
କେଶର ମହକେ ମଜି
ବିସ୍ମରିବି ସଖୀ ଅସ୍ମିତା, ଚେତନା
ସୁଖର ପଥରେ ହଜି
ଢ଼ାଳିବି ଗୋ ତୋ ହୃଦରେ
ଭାବ ଭବ୍ୟରଙ୍ଗ ଭାବନା ତରଙ୍ଗ
ବାନ୍ଧି ପ୍ରଣୟ ପାଶରେ ।
ଜହ୍ନ ହସୁଥିବ ଜୋଛନା ପ୍ରସାରି
ରୂପେଲି ମଧୁ ଝରାଇ
ମେଘର ପଣତେ ଲୁଚାଇବ ମୁହଁ
ମିଳନରେ ଲାଜ ହୋଇ
ଆକାଶେ ଘୋଟିବ ଛାଇ
ଆଖିପତା ତୁମ ନଇଁ ଆସୁଥିବ
କାମନାରେ ଦଗ୍ଧ ହୋଇ ।
ଟି.ଦୁର୍ଗା ପ୍ରସାଦ ରାଓ