ପ୍ରେମ ପରିଭାଷା
ପ୍ରେମ ପରିଭାଷା
କି ଦେବି ଉପମା ପ୍ରେମ ପରିଭାଷା
ପ୍ରେମ ଦିବ୍ୟଧାରାଟିଏ
ପ୍ରତି ହୃଦୟରେ ବାସ କରିଥିବା
ସମ୍ମୋହନ ସୂତ୍ରଟିଏ ।
ପୂତ ପବିତ୍ରତା ଝଙ୍କାର ଏ ପ୍ରେମ
ମନ ପ୍ରାଣ କରେ ବଶ
ଆତ୍ମାର ମିଳନ ପ୍ରେମର ସନ୍ତକ
ଭରିଦିଏ ପରିତୋଷ ।
ପ୍ରେମ ସମର୍ପଣ ଭାବର ଉଚ୍ଛ୍ୱାସ
ବିଶ୍ୱାସ ଅମୃତ ଭରା
ସ୍ୱାର୍ଥରୁ ନିବୃତ ସୂକ୍ଷ୍ମ ସ୍ରୋତଟିଏ
ପ୍ଲାବିତ କରଇ ଧରା ।
ପ୍ରେମ ଶକ୍ତ ଖିଅ ସମ୍ପର୍କ ରଜ୍ଜୁର
ପୂର୍ଣ୍ଣତାର ଶିଖାଟିଏ
ପ୍ରେମ ସଂସାରର ଅଦ୍ୱିତୀୟ ରାଗ
ଶବ୍ଦଶୂନ୍ୟ ଗୀତଟିଏ ।
ପ୍ରେମ ପ୍ରକୃତିର ନିର୍ମଳ ପ୍ରବାହ
ଅମରତ୍ୱ ଅନୁରାଗ
ପ୍ରେମ ଜୀବନର ସୁଦୀର୍ଘ ରାହାଟେ
ଶାନ୍ତି ମଇତ୍ରୀର ଦିଗ ।
