ପ୍ରେମ ପ୍ରେମ
ପ୍ରେମ ପ୍ରେମ
ପ୍ରେମ !
ଅଢେଇ ଅକ୍ଷରେ ଗଠିତ, ଆଳଙ୍କାରିକ, କାବ୍ଯିକ ଶବ୍ଦ ନୁହେଁ।
ଅବା, ଏ ଦେହକୁ ସେ ଦେହକୁ ସଂଚରି ଯାଏ,
ବୟସର ରଙ୍ଗ ମଉଳି ଗଲେ ସମାଧି ନିଏ।
ପ୍ରେମ!!
ଏକ ସୁନ୍ଦରକୁଡିଆ, ଯାହାର ଚଟାଣ ହୃଦୟ, କାନ୍ଥ ମନ।
ଛାତ ମସ୍ତିଷ୍କର କ୍ରିୟା ପ୍ରତିକ୍ରିୟା ମାନ।
ଗତି ଓ ସ୍ଥିତି, ଇନ୍ଦ୍ରିୟ ଇଙ୍ଗିତର ,
ଶୀତଳ ଉଷ୍ଣର ଦହନ ଶୀତଳର ।
ଗୁଞ୍ଜରଣ ସ୍ବର୍ଗରୁ ପାତାଳକୁ,
ପବିତ୍ର ଧାରା ଯୁଗରୁ ଯୁଗାନ୍ତକୁ।
ଦେହ ଓ ହୃଦୟକୁ ତିଳତିଳ କରି ଦହେ।
ଫାଶେ ପଡ଼ିଗଲେ ନିଜକୁ ଭୂଲି ଯାଏ।
ରୂପକୁ ନୁହେଁ ହୃଦୟକୁ କରେ ପ୍ରିୟତମ,
ବର୍ଣ୍ଣ ବିହୁନା ଅବ୍ୟକ୍ତ ଅଦୃଶ୍ୟ ଯା'ର ନାମ।
ମୁଁ ପ୍ରେମ କରେ ।
---୧---
ମାନବକୁ, ମାଧବକୁ ଖୋଲି ଦେଇ ପ୍ରେମର ଦୁଆର,
ବାନ୍ଧିବାକୁ ଚାହେଁ ମଣିଷ ମନକୁ,
ବାଧ୍ଯ କରେ ମାଧବକୁ ବାନ୍ଧି ହେବାକୁ ପ୍ରେମ ଭକ୍ତିର।
---୨---
ସୃଷ୍ଟିକାରିଣୀକୁ, ତା ଗର୍ଭ ଯନ୍ତ୍ରଣାକୁ,
ତା ବକ୍ଷର ଅମୃତଧାରାକୁ,
ମମତାର ଭିଜା ପଣତକୁ,
ତା ଶାନ୍ତି ନିରାପଦ କୋଳକୁ,
ସର୍ବଂସହା ଶକ୍ତିକୁ, ଅମୂଲ୍ୟଦାନକୁ।
---୩---
ମୋ ସୃଷ୍ଟିକର୍ତ୍ତା ଙ୍କୁ,
ଦୟା, କ୍ଷମା, ଧୈର୍ଯ୍ୟର ଅପୂର୍ବ ଶକ୍ତିକୁ,କଠୋର ରୂପକୁ, କୋମଳ ପ୍ରାଣକୁ।
ଉପଦେଶ ବର୍ଣବୋଧକୁ,
ଜୀବନ ଜଟିଳ ଗଣିତର
ସରଳ ସମାଧାନ ସୂତ୍ରକୁ।
---୪---
ସମ୍ବନ୍ଧ ଓ ସମ୍ପର୍କର ତିକ୍ତ ମଧୁର ଭାବକୁ,
ବିପଦରେ ସାହାଯ୍ୟର ହାତକୁ,
ବିନା ଯୁଦ୍ଧେ ନଦେବି ସୂଚ୍ୟଗ୍ର ମେଦିନି ଆହ୍ବାନକୁ,
ପ୍ରେମରେ ପ୍ରତାରଣା ମିଶାର ସୁନିଶ୍ଚିତ ଫଳକୁ।
---୫---
ଦୁଇ ଅଜଣା ଅଚିହ୍ନା ଆତ୍ମାର ପବିତ୍ର ମିଳନକୁ ।
ସାତଜନ୍ମକୁ ସମ୍ପର୍କ ଅତୁଟ ରଖିବା ଶପଥକୁ।
ରତିପାଇଁ ପ୍ରିତିରୂପାର ସମ୍ପୂର୍ଣ୍ଣ ସମର୍ପଣକୁ।
ବଂଶ ସୃଷ୍ଟିପାଇଁ ହସିହସି ସହୁଥିବା ମିଠା ଯନ୍ତ୍ରଣାକୁ।
ମାନ, ଅଭିମାନ, ରାଗରୁଷା କ୍ଷଣିକ କଟି ନାଟକକୁ।
ସକାଳର ମହାଭାରତର ଦ୍ବନ୍ଦ ଗଦାପର୍ବକୁ।
ରାତିରେ ରାମାୟଣର ରାମସୀତା ମିଳନ କାଣ୍ଡକୁ।
ପରିଣତ ବୟସରେ ଦେହାତୀତ ଭଲ ପାଇବାକୁ।
ଦୀର୍ଘଦିନ ଏକାଠି କାଟିଥିବା ତିକ୍ତ ମଧୁର ସ୍ମୃତିକୁ।
ଅଲୋଡା ବୟସର ବୋଝ,
ହାତଧରାଧରି ହୋଇ ମୁଣ୍ଡେଇ ଚାଲିବାର ଅଦମ୍ୟ ସାହସ ଓ ଇଚ୍ଛାକୁ।
---୬---
ଦୁଇଟି ଆତ୍ମାର ପ୍ରେମରୁ ସୃଷ୍ଟି ସନ୍ତକକୁ।
ତାଙ୍କ ଅଝଟ ପଣିଆକୁ, ଅଳି ଅର୍ଦ୍ଦଳିକୁ।
ଭବିଷ୍ୟତ ପାଇଁ ଅତୀତକୁ ଛାଡ଼ି ଯିବାର ସିଦ୍ଧାନ୍ତକୁ।
ଛାଇପରି ପାଖରେ ଥିବା ତାଙ୍କ ଅପାଶୋରା ସ୍ମୃତିକୁ।
ପ୍ରେମର ତୃପ୍ତି ମିଳେ ଦେବାର,
ଇତିହୁଏ ପ୍ରାପ୍ତିର ।
ପ୍ରକୃତି ଓ ପୁରୁଷ, ପିୟୁଷ ଓ ଜହର।
ପ୍ରେମ ଚିରନ୍ତନ ସତ୍ୟ ଶିବ ଓ ସୁନ୍ଦର।