ପ୍ରେମ ହିଁ ସତ୍ୟ
ପ୍ରେମ ହିଁ ସତ୍ୟ
ପ୍ରେମ ହିଁ ସତ୍ୟ ସନାତନ
ପଦ୍ମ ଫୁଲ ପରି
ପ୍ରେମ ହିଁ ଶିବ ସନାତନ
ଚୈତନ୍ୟ ଧାରା ଝରି
ପ୍ରେମ ହିଁ ସୁନ୍ଦର ସନାତନ
ଓଁ ପରଂବ୍ରହ୍ମ ସରି
ପ୍ରେମ ହିଁ ଚିରନ୍ତନ ଶାଶ୍ୱତ
ପବିତ୍ର ବେଦ ପରି
ପ୍ରେମ ହିଁ ନିରନ୍ତର ବିଶ୍ୱାସ
ଭରସା ଆଶାବରୀ
ପ୍ରେମ ହିଁ ଋତୁ ପରିକ୍ରମା
ସବୁଜ ସୁନ୍ଦରୀ
ପ୍ରେମ ହିଁ ନିତ୍ୟ ବୃନ୍ଦାବନ
ଅମୃତ ଭାରେ ଭରି
ପ୍ରେମ ହିଁ ମଳୟ ଫଗୁଣ
କିଏ ତାର ସରି
ପ୍ରେମ ହିଁ ସୂର୍ଯ୍ୟ ଚନ୍ଦ୍ର ପୃଥିବୀ
ଦେହ ରୁ ବିଦେହ ଆତ୍ମାବାରି
ପ୍ରେମ ହିଁ ସୁନେଲି ସକାଳର ରଙ୍ଗ
ଚମତ୍କାରେ ହସେ କିରି କିରି
ପ୍ରେମ ହିଁ ମଧୁର ମାଧୁର୍ଯ୍ୟ କାକଳୀ
ବିଚିତ୍ରବର୍ଣ୍ଣାରେ ସବୁରି
ପ୍ରେମ ହିଁ ଧାରେ ଲୁହ ଈଶ୍ୱରଙ୍କ ପାଇଁ
ବିଭୁ ପାଦ ପଦ୍ମ ଭଜନ କରି
ପ୍ରେମରୁ ଦୁଇନିଆଁ ଦୁନିଆଁରେ
ଜନ୍ମ ଓ ମରଣ ସଵାରୀ
ପ୍ରେମ ହିଁ ମନ ଓ ହୃଦୟ ମଧ୍ୟରେ
ବିବେକ ସୂତା ସରି
ପ୍ରେମ ହିଁ ଜହ୍ନକୁ ମାମୁଁ ଡାକେ ମାଆ
ପଡ଼ ମୋ ଧନ ହାତେ ଥିରି ଥିରି
ସତରେ ପ୍ରେମ ନଥିଲେ ଏ ଗୋଲକେ
ଅଢେଇ ଦିନ ବିତନ୍ତା କିପରି
ଅଢେଇ ଅକ୍ଷର ପ୍ରେମ ଶିଖାଏ ଆଉ ଦିଘଡ଼ି
ବଞ୍ଚିଯିବା ପ୍ରେମ କରି
ପ୍ରେମର ମୂଳେ ଏ ଜଗତ ବଞ୍ଚିବାକୁ
ସତ୍ୟ ଧର୍ମ ଆଦରି
ପ୍ରେମ ଶିଖାଇଲେ ଯିଏ ନିଶ୍ୱାସେ ଦେଇ ବିଶ୍ୱାସ
ପ୍ରେମର ଡାକ ହରି ହରି ।

