ତୁମେ ମୋ କାହାଣୀର ଆରମ୍ଭ
ଶେଷ ବୋଲି କେବେ କହିବି ନାହିଁ
ତୁମ ନୀରବତା ଛଡାଇ ମାଦକତା
ଆକତା ମାକତା କରେ ଏତେ କିମ୍ପାଇଁ
ଯାଉଛ ଯୁଆଡେ ଯାଅ ମନା ନାହିଁ
ରହିଯାଅ ବୋଲି କହିବି ନାହିଁ
ଜାଣେ ଉଡ଼ା ପକ୍ଷୀ ଯେତେ ଭଡା ଦେଖି
ଫେରିବ ପୃଷ୍ଠାକୁ ପୃଷ୍ଠରେ ଥୋଇ
ନିତିଦିନ ସାଥି ଗୁମାନ ଥାଉ ସେତିକି
ଦେଖେଇବା ଆଉ ଦରକାର ନାହିଁ
ନିରବୀ ଗଲେ ଗାଁ ନଈ
କୁଳୁ କୁଳୁ ଯଦି ଗୀତ ଗାଇ ନାହିଁ
ପକ୍ଷୀ କୁ ଶୋଷ ଲାଗିବ କାହିଁ
ଆକାଶ ଯଦି ଉଦାସ ଦିଶିବ
ତାରାଫୁଲ ଆଉ ଫୁଟିବ କାହିଁ
ନଈ ଗୁମ ହେଲେ ଆବେଗ ନଥିଲେ
ନୀଳକଇଁ କେବେ ହସିବ ନାହିଁ
ପ୍ରକୃତିରୁ ଶିଖି ଶିଖିଯା ମଣିଷ
ସବୁ ଏଠି ଥାଇ କି ଖୋଜୁ ତୁହି
ମାଟି ମାଆ କୋଳେ ଫୁଲ ଫୁଟେ ଫଳ ଲୋଟେ
ଏକଥା ଯିଏ ବୁଝଇ ନାହିଁ
ବେଦରଦୀ ସେଇ ମଣିଷ ଯିବ ଯଦି ଯାଉ
ତା ପାଇଁ ବାଟ ଜଗିବ କାହିଁ
ମନଟା ଉଦାସୀ ବଡ଼ ସେ ପିଆସୀ
ସମୁଦ୍ର ଜଳରେ ଫୁଟାଇ କଇଁ
ଚାହିଁଥାଏ ବାଟ ମନର ମଣିଷ
ଆସ ନୀଡ଼େ ଫେରି ଦୁହେଁ ଦୁହିଁଙ୍କ ପାଇଁ
ମାନ ଅଭିମାନ କଣ ପାଇଁ
ଦି ଦିନ କୁଣିଆ ଗଲାବେଳେ ଏଠୁ
କଣ କିଏ ବା ଯାଇଛି ନେଇ
ମାଟି ଆକାଶ ପାଉଁଶ ଭିତରେ
ଶେଷ ପୃଷ୍ଠା ଗୋଟେ ଉଡି କହୁଥିବ
ଶୁନ୍ୟ ଦେହ ଶୁନ୍ୟ ମନ ଯାହା ମୋରି ପାଇଁ