STORYMIRROR

Priyabrata Mohanty

Tragedy Inspirational

3  

Priyabrata Mohanty

Tragedy Inspirational

ପ୍ରଭୁଙ୍କୁ ଚିଠି

ପ୍ରଭୁଙ୍କୁ ଚିଠି

1 min
260

ଦୁଃଖ ଯାତନା ସହି    ପାରେନା ଏ ଦେହ

ହୃଦୟେ ଭରା ତ ଅସୀମ କୋହ,

କି ଦୋଷ କରିଛୁ ଆମେ    ପ୍ରଭୁ ଟିକେ କୁହ

ନୟନେ କାହିଁକି ଭରିଛ ଲୁହ ।୧।


କଇଁ-କଇଁ କାନ୍ଦି-କାନ୍ଦି    ଦେଖି ଥିଲି ଧରା

କେଡ଼େ ଅସହାୟ ଶୈଶବ ପରା,

ପଡ଼ି-ଉଠି ଛିଡ଼େ କେତେ    ଆଣ୍ଠୁ-ଗଣ୍ଠି ସାରା

ମୁଣ୍ଡ ପାତି ସହୁଁ ବରଷା ଖରା ।୨।


ବଡ଼ ହେଲେ କାନ୍ଧେ ପଡ଼େ    ପଢ଼ିବାର ଭାର

ତ୍ରୁଟି ହେଲେ ମିଳେ କେତେ ପାହାର,

ପିତା-ମାତା ସପନର    ଘୋଡ଼ିଛି ଚାଦର

ନିଜ ଠୁଁ ନିଜେ ମୁଁ ହୋଇଛି ଦୂର ।୩।


ରୋଜଗାର ପାଇଁ ହୁଏ    ଏ ଘର ସେ ଘର

ଭୋକ ଉପାସରେ ମରେ ଉଦର,

ଅସଫଳ ବାର୍ତ୍ତା ଶୁଣି    କାନ୍ଦେ ପରିବାର

ବନ୍ଧୁ ପରିଜନ କରେ ଧିକ୍କାର ।୪।


ସାଥି ହୋଇ ଚାଲିବାକୁ    ମିଳିଲା ସଙ୍ଗିନୀ

କିଛି ଦିନ ପରେ ହେଲା ଦାମିନି,

ଡହ-ଡହ ଖରା ବେଳ    ଲାଗିଲା ରଜନୀ

ଶୁଣି-ଶୁଣି ତାର ପ୍ରେମ ରାଗିଣୀ ।୫।


ପିଲା-ଛୁଆ ଘର ଆଜି    ବଢ଼ିଲା ସଂସାର

ଗୁଜରାଣ ପାଇଁ ମାଗେ ଉଧାର,

ଭିଟାମାଟି ଛାଡ଼ି ଦେଇ    ଆସିଲି ସହର

ସାଜିଛି ମୁଁ ଗୋଟେ ପୋଷା କୁକୁର ।୬।


ଭୋକ ଉପାସକୁ ଖାଇ    ଯାଇଛି ଯେ ଜିତି

ପଥର କରିଛି ନିଜର ଛାତି,

ମୋହ-ମାୟା ଜାଲେ ପଡ଼ି    ଖଟେ ଦିନ ରାତି

ଘର ଖୁସି ପାଇଁ ଜଳେ ମୁଁ ନିତି ।୭।


ଖଟି-ଖଟି ଆଉ ନାହିଁ    ଶରୀରରେ ବଳ

ରୋଗ ବ୍ୟାଧି ସବୁ କରନ୍ତି ଖେଳ,

ହାତ-ଗୋଡ଼ ସବୁ ମୋର    ହୋଇଛି ଅଚଳ

ପ୍ରାଣ ନେଇ ଯାଉ ପ୍ରଭୁ ଚଞ୍ଚଳ ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy