ପ୍ରଭୁ ମୋର
ପ୍ରଭୁ ମୋର
ଆଖି ଲୁହ ଚକଚକ୍ କରେ ଯେବେ
ଛାତିତଳେ ଭରିଥାଏ କୋହ
ଚୁପଚାପ୍ ଥାଅ ତୁମେ ମୋ ପାଖରେ
ପଦୁଟିଏ କଥା ନାଇଁ କୁହ ।
ହଜୁଥାଏ ମନଗଢା ଭାବନାରେ
ମନ ମୋର ବୁଝେନାହିଁ ଜମା
ତୁମେ ଥାଅ ନିର୍ବିକାର ପ୍ରଭୁ ମୋର
ସବୁ ଦୋଷ କରିଦିଅ କ୍ଷମା ।
ତୁମେ କେବେ ରାଗନାହିଁ ମୋ' ଉପରେ
କେବେହେଲେ ଦିଅନାହିଁ ଦଣ୍ଡ
ହେ କୃପାଳୁ ସର୍ବଜ୍ଞାତା ପ୍ରଭୁ ମୋର
ତୁମ ଦୟା ସତରେ ଅଖଣ୍ଡ ।
ଘୁଷୁରୀ ମୁଁ କାଦୁଅ ପଙ୍କରେ ଲୋଟେ
ବୁଝିପାରେ ନାହିଁ ତୁମ ସ୍ନେହ
ତୁମଠୁ ଦୂରରେ ଥାଏ ସବୁବେଳେ
ଧରେ ଆନ ଭାଵନାର ଖିଅ ।
ବୁଝି ମୁଁ ଅବୁଝା ହୁଏ ବାରବାର
ଠିକିଲେ ବି ଶିଖେନାହି ଜମା
ଯିଏ ନାତ ମାରେ ତାକୁ ମନ ଝୁରେ
ମାନେ ନାହିଁ କେବେ ଖାଲଖମା ।
ତୁମେ ସଦା ଥାଅ ପାଖେ ପ୍ରଭୂ ମୋର
କେବେହେଲେ ଛାଡନାହିଁ ହାତ
ତୁମେ ଅଗତିର ଗତି ମୁକ୍ତିଦାତା
ସ୍ଵାମୀ ମୋର ତୁମେ ଜଗନ୍ନାଥ ।
ତୁମେ ପରମ ପ୍ରଶାନ୍ତି ନିମିଷକେ
କରିଦିଅ ସବୁ ଦୁଃଖ ଦୂର
ମନ ବଡଦାଣ୍ଡେ ଥରେ ଆସ ନାଥ
ପ୍ରଭୁ ମୋର ଜଗତ ଠାକୁର ।

