ପ୍ରଭାତ ତାରକା ଓ ଅସୁମାରୀ
ପ୍ରଭାତ ତାରକା ଓ ଅସୁମାରୀ
ମାନବ ଜୀବନ କଷଟି ପଥର
ତୁଳନୀୟ ଅସୁମାରୀ,
ଗଗନେ ଶୋଭଇ ପ୍ରଭାତ ତାରକା
କ୍ଷଣ ସମୟେ ଯେପରି l
ଜଳରେ ଭାଷଇ ଜଳର ଫୋଟକା
ଜଳ ଦ୍ୱାରା ହୋଇ ସୃଷ୍ଟି,
କି ସୁନ୍ଦର ଦିଶେ ସେହି ଅସୁମାରୀ
କେତେବେଳେ ଯାଏ ଫୁଟି l
ଫୋଟକା ଯେପରି ଆନନ୍ଦ ମନରେ
ଯାଏ ଜଳେ ଭାସିଭାସି,
ସମୁଦ୍ରକୁ ଯାଇ ଦେଖିବ ବୋଲି ସେ
ଯାଉଥାଏ ହସିହସି l
ଭାଗ୍ୟର ବିଧାତା ଲେଖନୀ ମୂନରେ
ଲଲାଟରେ ଯାହା ଲେଖିଛି,
ଯେତେବେଳେ ଯାହା ଘଟିବ ଭାଗ୍ୟରେ
ତାହା ହିଁ ସବୁ ଘଟୁଛି l
ସରିତର ସୁଏ ଯାଏ ଭାସିଭାସି
ଦେଖିବାକୁ ସମୁଦ୍ରକୁ,
ତୀର୍ଥ ଯାତ୍ରୀ ପରି ତରଣୀରେ ବସି
ଯାଉଛି ତୀର୍ଥ ସ୍ଥାନକୁ l
ଜଳ ମlରୁଅଛି ପାଣିର କାତୁଆ
ଜୋରରେ ଯାଏ ତରଣୀ,
ଗୀତ ଗାଉଥାଏ ନାବିକ ଭାଇ
କୁଳୁ କୁଳୁ କରି ପାଣି l
କେବେ ସେ ଦେଖିନି କେଉଁ ପ୍ରକାରର
ଏ ବିରାଟ ତୀର୍ଥ ସ୍ଥାନ,
କିପରି ମୁଁ ଯାଇ ଭଲରେ ପହଞ୍ଚି
କରିବି ମୁଁ ଦରଶନ l
ନାବେ ଯାଉ ଯାଉ ତୋଫାନ ଆସିଲେ
ନଉକା ଯାଏ ଓଲଟି,
ତୀର୍ଥ ଯାତ୍ରୀ ଭାବେ ଯିଏ ବସିଅଛି
ସେ ଯାଏ ଜଳରେ ଫୁଟି l
ଯାର ଭାଗ୍ୟରେ ଥିବ ସେ ଯାଇ ଦେଖିବ
ଏ ବିରାଟ ତୀର୍ଥ ସ୍ଥାନ,
ଯାର ଭାଗ୍ୟରେ ନାହିଁ କରିବ କିପରି
ସମୁଦ୍ରକୁ ଦରଶନ l
ସେପରି ମାନବ ଜନମ ହୋଇ ସେ
ଆସଇ ଧରା ପୃଷ୍ଠକୁ ,
ଭଗ୍ୟ ଓ ବୁଦ୍ଧିରେ ଜିଣଇ
ଏ ସାରା ଭୁମଣ୍ଡଳକୁ l
ଯେତେ ଦିନ ତୁମେ ବଞ୍ଚିବ ଧରାରେ
କରିବ ଉତ୍ତମ କାମ,
ମରିଗଲେ ଚିର ଅମର ହୋଇବ
ରହିବ ତୁମ ସୁନାମ l
ଯେତେ ଧନ ସବୁ ଅର୍ଜୁନ କରିବ
ରଖିବ କୃପଣ ପରି,
ନିଜର ପେଟକୁ ପବନ ଖୁଆଇ
ଦଶା ହେବ ମଧୁପ ପରି ।
ମରିଗଲା ପରେ ତାଙ୍କର ନାମକୁ
ସମସ୍ତେ ପାସୋରି ଦେବେ,
ଭଲ କାମ କରି ଲୋକ ସେବା କଲେ
ସମସ୍ତେ ମନେ ରଖିବେ l
ଆଜି ଜନମିଛେ କାଲି ଯିବା ମରି
ପ୍ରକୃତିର ଅଟେ ଖେଳ,
ଯା ଖେଳ ସରିଲା ସିଏ ଚାଲିଗଲା
ଡେରି ନ କରି ବେଳ l
କାଳ ନିମିଷେକ ଅପେକ୍ଷା ନ କରି
ହରଣ କରି ସେ ନେବ,
ମାୟା ସଂସାରରେ ମୋହ ଲଗାଇଛି
ସବୁ ଛାଡି ଚାଲିଯିବ l
ଆମେ ସବୁ ଯିବା ଅସୁମାରୀ ପରି
ମାଟିର ଜଳରେ ମିଶି,
ଭଲ କାମ କରି ଦେଶ ସେବା କଲେ
ହୋଇବ ବଇକୁଣ୍ଠ ବାସୀ l
