ପ୍ରାଣ ହୀନ କୃଷକଟେ ମୁଁ
ପ୍ରାଣ ହୀନ କୃଷକଟେ ମୁଁ


ଯେ ପରିଚୟ ହୀନ
ଆକାଶଠୁ ଅଧିକା ଆକାଂକ୍ଷା
ବିଖଣ୍ଡିତ ମନ ନେଇ
ସୁଖଦ ଲହରୀର ସ୍ୱପ୍ନ ଦେଖେ
ଆଗତ ସମୟର ଅପେକ୍ଷାରେ
ଦେହମାରି ଅସୁମାରୀ ଦୁଃଖ ଓ ଯନ୍ତ୍ରଣା
ଘର ତାର ଉଆସ ତ ନୁହେଁ
ଖରା ବର୍ଷା କରେ ରାଜୁତି,
ଶୀତମରା ବସ୍ତ୍ର ତାର
କନ୍ଥା ଅବା ହେଁଶ
ଡିବିରି ଆଲୋକେ
ଉଜ୍ୱଳେ ଯା ଘର
କଂସାଏ ପଖାଳେ
ପୁରଇ ଯା ପେଟ
ଇଏ ତା ଦୁନିଆର ସୁଖଦର ନାଟ
ଦି ଦିନ ଏ ସଂସାର ହାଟରେ
ବେଳେ ବେଳେ ଥକି ପଡେ
ପରିବାର ପ୍ରତିପୋଷଣରେ
ସାରା ବିଶ୍ୱକୁ ଯୋଗାଇ ଆହାର
ଭୋକେ ଶୋକେ ରହିବାକୁ ହୁଏ
ସତେ ଅବା ମୂର୍ତ୍ତି ଗୋଟେ ଏ
ଦୁଃଖ ଓ ଶୋକର
ସରକାରୀ ପ୍ରୋତ୍ସାହନ ତା ପାଇଁ ସ୍ୱପ୍ନ ସାଜେ,
ତେଲିଆ ମୁଣ୍ଡ ତେଲ ଦେବା ସରକାରୀ ଭାବେ।
ପ୍ରକୃତିର ଯେତେ ସବୁ କ୍ରୂର ଉପହାସ
ସତେ ଅବା ଲେଖା ତାର ଭାଗ୍ୟେ
ଅଭାବରୁ ନଷ୍ଟ ତା ସ୍ୱଭାବ ହୋଇଛି
ସନ୍ତାନମାନଙ୍କୁ ଦୁଃଖେ ତା କାର୍ଯ୍ୟ ସମର୍ପଛି।
ପୀଢ଼ି ପରେ ପୀଢ଼ି ଦୁଃଖ ବୋହି ଚାଲେ ଯିଏ
ଏଇ ତାର ପରିଚୟ କୃଷକଟି ସିଏ।