ଶୀତ
ଶୀତ
1 min
219
ସରଗ ପରୀର ରୂପାର ଓଢ଼ଣୀ
ଝୁଲି ଓହଳିଛି ଗଛେ,
ସକାଳ ସୂରୁଜ ଉଦୟ ଆଗରୁ
ଅନ୍ଧାର ଆଲୋକେ ଲୁଚେ।
କାକର ପାଣିରେ ପତର ଭିଜିଛି
ପାଣିତ ହୀରାର ଭ୍ରମ
ଘୋଡାଇ ରଖିଛି କୁହୁଡି ଚାଦର
ସତେକି ଉଡୁଛି ଧୁମ୍ର।
ବନେ ଉପବନେ ଖେଳନ୍ତି ମଧୁପ
ଫୁଲୁ ମହୁ କରି ଚୋରୀ
କାଲୁଆ ପବନେ ଥରି ଥୁରୁଥୁରୁ
ଗୀତ ଗାଇ ଖୁସି ଭାରି।
କ୍ଷେତରେ ଶୋହୁଛି ସ୍ୱର୍ଣ୍ଣ ଶୀର୍ଷ ଧାନ
ପଠାରେ ଷୋରିଷ ଫୁଲ
ଅଳସୀ ଢାଳିଛି ତରଳ କନକ
ଅମୂଲ ମୁଲତା ମୂଲ।
ସୂରୁଜ ବୁଣୁଛି ସୂର୍ଯ୍ୟ ମୂଖୀ ମୁହେଁ
ଜାଜ୍ଜ୍ୱଲ୍ୟର ସୁନା କଣା
ସଭକ୍ତିରେ ପିଇ କୃତ୍ୟାର୍ଥ ହୋଇଛି
ନହୋଇ ସେ ଆନ ମନା।
ମନ୍ଦିରେ ମନ୍ଦିରେ ଭଜନ କୀର୍ତ୍ତନ
ଭକ୍ତି ରସେ ମନ ଭିଜେ
ପ୍ରଭୁ ପାଦେ ଢ଼ାଳି ଅଶେଷ ପ୍ରଣତି
ବିଭୁ ପ୍ରେମେ ମନ ମଜେ।
