ପ୍ରାକୃତିକ ବିପର୍ଯ୍ୟୟ
ପ୍ରାକୃତିକ ବିପର୍ଯ୍ୟୟ
ଯସ୍ ଝଡ ଦେଖି ଡର ନାହିଁ ବନ୍ଧୁ
ନିଶ୍ଚୟ ଆସିବ ମହି
ମନର ଭିତରେ ଯେଉଁ ଝଡ ଉଠେ
ତାକୁ କେ ପାରିବ କହି ।
କରୋନାରେ ପୁତ୍ର ଯେବେ ହୁଏ ମୃତ୍ୟୁ
ଛୁଇଁ ନପାରଇ ମାତା
ହୃଦୟରେ ଯେଉଁ ପ୍ରଭଞ୍ଜନ ଆସେ
ସିଏ କି ରଖିବ ସତ୍ତା ।
ନିରିହ ଆଖିରେ ପିତା ଦେଖୁ ଥାଏ
ହୃଦୟରେ ପ୍ରଭଞ୍ଜନ
କେଉଁଠି ତା ଦେହ ସଂସ୍କାର କରିଲେ
ଛାଟି ପିଟି ହୁଏ ମନ ।
ପୁତ୍ର ଶବ ଯେବେ ହାତକୁ ନ ଆସେ
ପରିବାରରେ ଘୂର୍ଣ୍ଣିଝଡ
ପୁତ୍ର ବଧୂ ବକ୍ଷେ ଝଡର ପ୍ରଳୟ
ସତେ ଭାଙ୍ଗେ ବନ୍ଧବାଡ ।
ଆକାଶେ ମରୁତ୍ ଧରାରେ କରୋନା
କରୁଛି ତାଣ୍ଡବ ଲୀଳା
ଏକ ପରେ ଏକ ଝଡର ସମ୍ମୁଖେ
ନଡରି ଚଳାଅ ଭେଳା ।
ସତର୍କତା ସଦା ଅଞ୍ଚଳେ ବାନ୍ଧିବ
ଦୃଢ଼ ମନୋବଳ ଧରି
ଆକ୍ରମଣ ରୂପି ପ୍ରଭଞ୍ଜନ ଏଠି
ନିଶ୍ଚେଁ ଚାଲି ଯିବ ହାରି ।
ଜୀବନ ଯୁଦ୍ଧରେ ଝଡ ପରେ ଝଡ
ଚାଲି ଥାଏ ପ୍ରତିଦିନ
କିଏ ସହି ପାରେ ପାଷାଣ ପରିକା
କିଏ ସେ ବାତୁଳ ସମ ।
ବହୁ ଆଡମ୍ବର ଅଦୃଶ୍ୟର ଝଡ
ପରିସ୍ଥିତି ଅସମ୍ଭାଳ
କ୍ଷଣିକେ ବିନାଶେ ଘୂର୍ଣ୍ଣି ରୂପ ନେଇ
ରୋପିବାର ଏହି ଫଳ ।
କୁଳ ନାରୀ ଯଦି କୁଳ ଧର୍ମ ତ୍ୟାଗୀ
ହୁଅଇ ବିପଥଗାମୀ
ନିନ୍ଦା ଅପନିନ୍ଦା ଝଡର ଶ୍ରାବଣେ
ପିତା ଆଖି ଯାଏ ନମି ।
ବିଶ୍ଵାସ ପରଷି ମନ ନେବେ ତୋଷି
ଅସାଧୁ ବୈରାଗୀ ବେଶେ
କାମାତୁର ହୋଇ ଯେଉଁ ଝଡ ଟାଣେ
ମାଟିରେ ଶରୀର ମିଶେ ।
ବିବିଧ ପ୍ରକାର ଝଡର ସ୍ଵରୂପ
ଲେଖନୀ ନପାରେ କହି
ଅନୁଭବି ଜାଣେ ବେଦନା ତାହାର
ଭାବଗ୍ରାହୀ କର ତ୍ରାହି ।