ପଣତକାନି
ପଣତକାନି
ବାତ୍ସଲ୍ୟ ରସର ସୁନ୍ଦର ନିର୍ଝର
ସ୍ନେହ ଚନ୍ଦନ ରେ ଭରା
ମାଆର ପଣତ ଶ୍ରୀମନ୍ଦିର ନେତ
ନିର୍ଭୟ ମନ୍ଦିର ପରା |
ଶୀତ ବରଷାରେ ଗ୍ରୀଷ୍ମ ପ୍ରବାହରେ
ଶାନ୍ତିର ପରଶ ସିଏ
ଅବୁଝା ମନର ବୁଝାମଣା ସେତୁ
ଶରଧାର ଲେପ ଟିଏ |
ରୋଗ ଯନ୍ତ୍ରଣାର ଉପଶମ ମନ୍ତ୍ର
ଆଶାର ସଉଧ ଟିଏ
ଦୁଃଖ ବେଦନା ରେ ଅମୃତ ପରଶ
ଦୁଃଖହାରୀ ନଦୀଟିଏ |
ଜୀବନ ଜୀଇଁବା ମହୋଷଧି ସିଏ
ଭରସାର ସେତୁଟିଏ
ବିଶ୍ୱାସ ରେ ଭରା ପଣତ କାନିଟି
ସମ୍ଭାବନା ସେତୁଟିଏ ।
ଭୋକିଲା ପେଟର ସାନ୍ତ୍ବନାର ଉତ୍ସ
ସଂସ୍କାର ର ସେତୁଟିଏ
ଶାନ୍ତି ର ମନ୍ଦିର ଏ ପଣତ କାନି
ତା ମୂଲ କଳିବ କିଏ |
ଏ ପଣତ କାନି ସମ୍ଭାବନା ସେତୁ
ଝିଅକୁ ବୋହୂ କରାଏ
ଅବୁଝା ପଣିଆ ଛାଡ଼ିବାକୁ ସିଏ
ଅମୃତ ଆହ୍ବାନ ଦିଏ |
ସମ୍ଭାବନା ମୟ ପ୍ରତିଶୃତିଭରା
ଅମୀୟ ଭାବରେ ଭରା
ଜୀବନ ଜୀଇଁବା କଳାର ପ୍ରଲେପେ
ମୁଗ୍ଧ ସୁରଲିପି ପରା |
ଏ ପଣତକାନି ପ୍ରୀତି ସିକ୍ତା ପରା
ପ୍ରେମ ଭରା ତା ଶରୀର
ପ୍ରିୟାର ପଣତ ପ୍ରୀତି ସ୍ପର୍ଶ ଦିଏ
ଅଟେ ସେ ପ୍ରେମ ନିର୍ଝର |
ଏ ପଣତକାନି ଲମ୍ବିଯାଇ ବାନ୍ଧେ
କେତେ ଯେ ଅବୁଝା ମନ
ଏ ପଣତକାନି ବାରତା ଦିଅଇ
ନାରୀ ଅଟଇ ମହାନ ।
ଏ ପଣତ କାନି ବୁକୁରେ ଲେଖା ଯେ
କେତେ ଯେ ଅକୁହା କଥା
ପ୍ରୀତି ମନ୍ଦାଙ୍କିନୀ ଅଭୟ ଦାୟିନୀ
ଅପୂର୍ବ ତାହାର ଗାଥା ।
ପଣତକାନି ତ ଓଡିଆ ଜୀବନେ
ସଂଯୋଗର ସେତୁଟିଏ
ପୁଣ୍ୟ ମନ୍ଦିର ସେ ଭାବମୟ ସ୍ରୋତେ
ସଦା ସେ ଗାଧଉ ଥାଏ |
ବୃଦ୍ଧାବସ୍ଥା ବେଳେ ପଣତ କାନିଟି
ସ୍ମୃତିର ମନ୍ଦିର ଟିଏ
ହସ, ଲୁହ ଭରା ଫୁଲେ ଭରା ହୋଇ
ଜୀବନକୁ ଆସ୍ଥା ଦିଏ ।