ପିପିଇ ଭିତର ସ୍ୱର
ପିପିଇ ଭିତର ସ୍ୱର
ପ୍ରଚଣ୍ଡ ଗ୍ରୀଷ୍ମକାଳେ ଘର୍ମାକ୍ତ କଳେବରେ
ଜୀବନ ବିତେ ଆମ ମୃତ୍ୟୁର କୋଳାହଳେ ।
ରୋଗଠୁ ଲୁଚି ଆମେ ରୋଗୀର ଉପଚାର
କରୁଛୁ ରଖି ବାଜି ନିଜର ଜୀବନର ।
ରକ୍ତ ଜମାଟ ବାନ୍ଧେ ଯନ୍ତ୍ରଣା ଭାରି ବାଧେ
ପିପିଇ ଆବରଣେ ଶରୀର ଆମ କାନ୍ଦେ ।
ଭୁଲିଛୁ ପରିବାର ସୁରକ୍ଷା ସ୍ୱଶରୀର
କର୍ତ୍ତବ୍ୟ ଆଗେ ଆଜି କରିଛୁ ସମର୍ପଣ ।
ଭୂତାଣୁ ବଳୟରେ ରହିଛୁ ପ୍ରତି କ୍ଷଣେ
ତଥାପି ହାରିନାହୁଁ ଅଚିହ୍ନା ମହାରଣେଷ।
ଶୀତେଇ ଉଠେ କାୟା ରୋଗୀର ଚିତ୍କାରରେ
ପ୍ରାଣ ଖେଳେ ଲୁଚକାଳି ସମ୍ମୁଖେ ସଗର୍ବରେ ।
ମୃତ୍ୟୁକୁ ଆଖିଆଗେ ଦେଖି ବିକଳ ଲାଗେ
ନିଜର ପରାଜୟ ପ୍ରତିଟି କ୍ଷଣେ ଜାଗେ ।
ଅସଂଖ୍ୟ ଆଶାଗୁଚ୍ଛ ସମ୍ମୁଖେ ଝରିଯାଏ
ନିଷ୍ଫଳ ଆଖିକୋଣୁ ଲୋତକ ବହିଯାଏ ।
ପ୍ରାଣର ଭିକ୍ଷା ସତେ ପ୍ରତିଟି ମୁହୂର୍ତ୍ତରେ
ଅନେକ ଶୂନ୍ୟହସ୍ତ ବାହୁନି ଗୃହ ଫେରେ ।
ଦେଇଛୁ ଆଶ୍ୱାସନା ଚିକିତ୍ସା ପ୍ରବୋଧନା
ଅନେକ ଶ୍ବାସ ଫେରେ କିଛି ଫେରି ପାରେନା ।
ପିପିଇ ଭିତରୁ ଶୁଭେ ଅସ୍ପଷ୍ଟ ଆର୍ତ୍ତନାଦ
କରୋନା ଯୋଦ୍ଧା ହୋଇ ଗଣୁଅଛୁ ପ୍ରମାଦ ।
ଈଶ୍ୱରେ ରଖି ଲୟ ହୃଦୟେ ଭରି ଭୟ
ରହିଛି ଦୃଢ଼ ଆଶା ହେବ ଆମରି ଜୟ ।
