କବିତା - ପିଣ୍ଡପ୍ରାଣ ମୁଣ୍ଢେଇ
ରଚନା - ପଞ୍ଚାନନ ଜେନା
ତାରିଖ - ୦୩-୦୮-୨୦୨୫
ଶୁଣିଲି ଶୁଣିଲି ପୁଅ ବାହାଘର ହେଉଛି
ନିମନ୍ତ୍ରଣ ପତ୍ରଟେ ପ୍ରେରଣ କଲନାହିଁ ଦୁଃଖନାହିଁ
ଆମନ୍ତ୍ରଣ କରିବାକୁ ବୋଧେ ଭୂଲିଗଲ
ବ୍ୟସ୍ତବହୁଳ ରହୁଥିବ ମା' ହିସାବରେ
ସମୟ ମିଳୁ ନ ଥିବ ଭାବିବା ପାଇଁ
ପଢୁଆଁ ପୁଅର ଶୁଭ ପରିଣୟ
ଭୂଇଁରେ ତୁମ ପାଦ ଲାଗୁ ନ ଥିବ ଖୁସି ବଳୟ
ତୁମ ହସଟା ବାରହାତିଆ ପାଟଶାଢୀ ଡେଇଁ
ଦୂରରୁ ଦେଖିବାର ଭାଗ୍ୟରେ ନାହିଁ
ମୋ ଭଳିଆ ଅପାରଗ ଅପଦାର୍ଥ ପାଇଁ
ଫୁରସତ ନ ଥିବ ନାହିଁ
ବିନ୍ଦୁଏ ବି ଶୋକ ଶୋଚନା ନାହିଁ
ଟିକିଏ ବି ଅଭିଯୋଗ ଅଭିମାନ ନାହିଁ
କାରଣ ବାଣୀବିହାର ପରେ ପରେ
ଯୋଗାଯୋଗ ଯେ ଯମାରୁ ନାହିଁ
ଡିଜିଟାଲ୍ ଯୁଗରେ ବି
ଆମେ ବନ୍ଧୁ ତାଲିକାରେ ନାହିଁ
ଅଖୋଜା ଅଲୋଡ଼ା କାହିଁକି କିପାଇଁ
ମୋତେ ଜମାରୁ ଜଣାନାହିଁ
ଦେଖିଲି ନିମନ୍ତ୍ରଣ ପତ୍ର ପଢିଲି
ଆମ କଳ୍ପିତ ନାମରେ ନାମିତ କୈବଲ୍ୟ
ଆମ ଚିନ୍ତିତ ଶବ୍ଦରେ ପରିଚିତ ପୁଅ ନିର୍ମାଲ୍ୟ
ଧାଡିଏ ବି ଅଭିଯୋଗ ନାହିଁ
ପଦିଏ ବି ବିଦ୍ୱେଷ ନାହିଁ
ସ୍ନେହ ସନ୍ତକକୁ ଲାଳନ ପାଳନ କରିଛ
ଝଡ଼ ଝଞ୍ଜାର ସାମ୍ନା କରି ବଢ଼େଇଛ
ପାଦ ଛିଡ଼ା କରେଇ ଦୁଇ ହାତ କରେଇବାକୁ ଯାଉଛ
ମାତ୍ର ମୁଁ ଛାର ମାଟିର ମଣିଷ ଯାଯାବର
ଛାତିରେ ଲୁଚିଛି ଛାତିଏ ଆବଦ୍ଧ ପାରାବାର
ଭାଙ୍ଗି ଦେବାକୁ ଇଛା ହେଉଛି
ଅତୀତର ଅନ୍ଧ ପରମ୍ପରା କାରାଗାର
ଆଉ ବନ୍ଧ୍ୟା ଛାତି ତଳେ ନିବୁଜ ଅନ୍ଧାର
ଅନୁରୋଧ ମନେ ମନେ କରିଲି
ସାକ୍ଷାତ ମାଗୁନି ଘଡିଏ
ସମୟ ମାଗୁନି ମିନିଟିଏ
କେବଳ ବିଦାୟ ବେଳା ପୂର୍ବରୁ
କେବଳ ଶେଷ ନିଃଶ୍ୱାସ ସରିବା ପୂର୍ବରୁ
ଥରେ ଦେଖିନେବି ମନ ପୁରେଇ
ଧନ୍ୟବାଦ ସମର୍ପି ଦେବି ଯୋଡହସ୍ତ ଉଠେଇ
ନୋହିଲେ
ଏ ଛାର ପ୍ରେମୀକ ଜୀବନ ମୋର
ଅବଶୋଷ ରହିଯିବ ପିଣ୍ଡପ୍ରାଣ ମୁଣ୍ଢେଇ