´ପିଲେ` କଥା ମାନରେ
´ପିଲେ` କଥା ମାନରେ
ଅବାଟରେ ଗଲେ ସନ୍ତାନ ସନ୍ତତି
ପିତା ମାତା ଝୁରି ହୁଅନ୍ତି
ଅସହ୍ୟ ହୁଅଇ ଅକୁହା ବେଦନା
କାହାକୁ କହି ନ ପାରନ୍ତି ।
ପିତା ମାତା ଗୁରୁ ଗୁରୁଜନ ଯେବେ
ପିଲାଙ୍କୁ ଆକଟ କରନ୍ତି
ଭାରି କଷ୍ଟ ଲାଗେ ଅମାନିଆ ହେଲେ
ଅବୁଝା ଯଦି ସେ ହୁଅନ୍ତି ।
ଅପରିପକ୍ୱତା ଅବାଟରେ ନିଏ
ସେମାନେ ଜାଣି ନ ପାରନ୍ତି
ବୋଲ ମାନନ୍ତିନି ସହି ପାରନ୍ତିନି
ମନେ ମନେ ଜଳି ଯାଆନ୍ତି ।
ଭଲ ମନ୍ଦ କ'ଣ ବିଚାର କରିବା
ସେମାନେ ବୁଝି ନ ପାରନ୍ତି
ଅବାଟ ପଥରେ ଚାଲିବା ପାଇଁକି
ମନରେ ସାହସ ବାନ୍ଧନ୍ନ୍ତି ।
କୁସଙ୍ଗ ହେଉକି ହେଉ ମୋବାଇଲ
କୁ ପଥକୁ ଟାଣି ନିଅନ୍ତି
ନେଡି ଗୁଡ଼ ଯେବେ କହୁଣୀକୁ ଯାଏ
ଅସମ୍ଭାଳ ସିଏ ହୁଅନ୍ତି ।
ଅବୁଝା ବୟସେ ଚପଳ ମତିଟା
କୀଟ ପରି ଡିଏଁ ନିଆଁରେ
ଜୀବନ ଯାତ୍ରାରେ ହାରିବାକୁ ହୁଏ
ପଛେ ଭାବି ଲାଭ ନାହିଁ ରେ ।
ପଶ୍ଚାତାପ ନିଆଁ ଜଳାଇ ମାରଇ
ଭାବିଲେ ଆଉକି ଥାଏରେ
ସେଥିପାଇଁ ପିଲେ ସତରକ ହେଲେ
ଜୀବନେ ସଫଳ ହେବରେ l
ପିତା ମାତା ଗୁରୁ କଥା ମାନି ଯିଏ
ଚାଲିଅଛି ଏଇ ସଂସାରେ
ସୁମଣିଷ ହୋଇ ସମାଜ ଦାଣ୍ଡରେ
ମୁଣ୍ଡ ଟେକି ଠିଆ ହୁଏ ରେ l
ପିତା ମାତାଙ୍କର ଆଶୀର୍ବାଦ ନେଇ
ଆଗକୁ ବଢିବ ଯିଏ ରେ
କଣ୍ଟକିତ ବାଟ ପରିଷ୍କାର ହୋଇ
ପୁଷ୍ପିତ ହେବ ତା ପଥରେ l
ଝଡ଼ ଝଞ୍ଜା ଯେତେ ଆସିବ ଜୀବନେ
ନଇଁ ଦେବ ତୁମ ମଥାରେ
ତାବାଟରେ ସିଏ ଚାଲିଯିବ ପୁଣି
କ୍ଷତି କେବେ ନ କରିବରେ l
ସରଳ ସଞ୍ଜମ ସତ୍ୟ ପଥେ ଥିଲେ
ବିଜୟର ସ୍ୱାଦ ମିଳେରେ
ଏ କଥାକୁ ଧନ ଗଣ୍ଠି କରିଥିଲେ
ମହାମାନବ ଯେ ହେବରେ l