ଫୁଲ
ଫୁଲ
ବଗିଚାରେ ଥିଲେ ଅନେକ ଫୁଲ
ଯାଇଥିଲି ତାଙ୍କ ପାଶ ।
ଦେଖିବାକୁ ଅତି ସୁନ୍ଦର ହୋଇଣ
ବିତରୁଥିଲେ ସେ ବାସ ।।
ସେଇ ଫୁଲ ମଧ୍ୟେ ଥିଲା ଏକ ଫୁଲ
ମନ କିଣି ନେଲା ମୋର ।
ପ୍ରତି ମୁହୂର୍ତ୍ତରେ ପାଗଳ ହେଲି ମୁଁ
ପାଇବାକୁ ବାସ ତାର ।।
ଫୁଲଟିକୁ ଯେବେ ଦେଖିଦେଲି ମୁହିଁ
ମନରୁ ଗଲାନି ଛବି ।
ଦିନ ରାତି କାହିଁ ବସି ମୁଁ ରହିଲି
ତାହାରି କଥା କୁ ଭାବି ।।
ଫୁଲ ଟିର ବାସ ପାଇବା ପାଇଣ
ଭ୍ରମର ସାଜିଲି ମୁହିଁ ।
ମନର କଥା କୁ କହିଦେଲି ମୁହିଁ
ତାହାରି ପାଖକୁ ଯାଇ ।।
ଫୁଲଟି ସେମିତି ଭାରି ସେ କୋମଳ
ମନ ବି ସେମିତି ତାର ।
ବୁଝି ପାରିଥିଲା ତେଣୁକରି ସିଏ
ମନର କଥା କୁ ମୋର ।।
ପ୍ରତିଦିନ କାହିଁ ଚାଲିଯାଉଥାଏ
ତାହାରି ପାଖକୁ ମୁହିଁ ।
ଗୁଣୁ ଗୁଣୁ ହୋଇ କେତେ କଣ ସବୁ
କହିଯାଉଥାଏ କାହିଁ ।।
ଦିନେ ନ ପାଇଲେ ତାହାରି ବାସନା
ଭଲ ରହେନାହିଁ ମନ ।
ରହିଯାଇଅଛି ତାହାରି ପାଖରେ
ସତେ କି ମୋହରି ଧ୍ୟାନ ।।
ଜାଣି ମୁଁ ନଥିଲି ଫୁଲଟିର ଯତ୍ନ
ନେଉଥିଲା ଏକ ମାଳୀ ।
ଅଚାନକ ଆସି ଫୁଲଟିକୁ ସିଏ
ନେଇଯିବ ବୋଲି ତୋଳି ।।
ଯାଉଅଛି ସିନା ବଗିଚାକୁ ଏବେ
ଦେଖୁନାହିଁ ସେଇ ଫୁଲ ।
ବିକିଦେଇ ଅଛି ମାଳୀ ଆଜି ତାକୁ
କରିଦେଇ ପୁଣି ମୂଲ ।।
ମାଳୀକୁ ବା କାହିଁ ଦୋଷ ଦେବି ମୁହିଁ
ଫୁଲ ତ ହୋଇଛି ରାଜି ।
ଖୋଜୁଛି ଆଜି ମୁଁ ସେଇ ଫୁଲଟିକୁ
ପାଗଳ ଭ୍ରମର ସାଜି ।।