ଫଗୁଣର ପ୍ରୀତି ଛିଟା
ଫଗୁଣର ପ୍ରୀତି ଛିଟା
ଶେଷ ହେଲା ଶୀତ ଆସିଲା ବସନ୍ତ
ଫଗୁଣର ଆଗମନେ
ମନ୍ଦ ଗନ୍ଧବହ ବହିଲା ମଳୟ
ପୁଲକିତ କାମୀଜନେ।
ଚହଟିଲା ବାସ ବିତରି ସୁବାସ
ଆମ୍ବ ବଉଳ ମହକ
ଚୂତ ଡାଳେ ବସି କୁହୁ କୁହୁ ଭାଷି
ପିକ ହେଲା ବାବଦୂକ ।
ପୀରତିର ଛିଟା ଲାଗେ ଭାରି ମିଠା
ହସିଲେ ପାଦପରାଜି
ପୁଲକିତ ତନୁ ଧରି ନବ ତନୁ
ନବ କିଶଳୟେ ସାଜି ।
ବିକଚ କୁସୁମ ଦିଶିଲେ ଅସୀମ
ବିତରି ନିଜ ସୁବାସ
ମଧୁ ମଧୁକର ହରିଲେ ଅପାର
ଗୁଞ୍ଜନ କରି ପ୍ରକାଶ ।
ଫଗୁଣ ଆଣିଛି ପୀରତି ଢାଳିଛି
ଛିଟା ପଡିଲା ମହୀର
ଦିନ ହେଲା ବୃଦ୍ଧି କାମ ରସ ବୃଦ୍ଧି
ହେଲା କୋକ ଦମ୍ପତ୍ତିର ।
ବସନ୍ତ ରାସର ରାଧାକୃଷ୍ଣଙ୍କର
ଆସିଲା ବସନ୍ତୋତ୍ସବ
ଫଗୁ ଫଗୁଣର ଚାତକ ପ୍ରାଣର
ଆଣିଲା ନବୀନ ଭାବ ।
କାମୀଜନଙ୍କର ପୀରତିର ସ୍ବର
ପ୍ରୀତି ଛିଟା ଫଗୁଣର
ପ୍ରକଟିଲା ଏବେ ବୁଡିଗଲେ ଭାବେ
ମାରିଲା ଅତନୁ ଶର ।
ବଇଷ୍ଣବ ଜନ ହୋଇଲେ ମଗନ
ରସି ରାଇକୃଷ୍ଣ ରସେ
ଫଗୁଣର ପ୍ରୀତି ଛିଟା ଭିଜା ରୀତି
ମହ ମହ ହୋଇ ବାସେ ।