ଫଗୁଣ
ଫଗୁଣ
ଏମିତି ଗଲାଣି କେତେ ଯେ ଫଗୁଣ
ତୁମେ ତ ଆସିଲ ନାହିଁ
ଦିବା ନିଶି ମୋର ଝୁରି ଝୁରି ସରେ
ତୁମ ବାଟ ଚାହିଁ ଚାହିଁ।
କଥା ଦେଇ କଥା ରଖିଲ ନାହିଁ ଯେ
ଅଧା ବାଟେ ଛାଡି ଗଲ
ଆଖିରେ ଆଖିଏ ସପନ ଅଜାଡ଼ି
କେମିତିକା ଭୁଲିଗଲ।
ତୁମ କଥା ଯେବେ ପଡି ଯାଏ ମନେ
ଏତେ ଲୁହ ଝରେ କାହିଁ
ସେହି ଲୁହ ବୋଧେ ଆମ ପ୍ରଣୟର
ସୀମା ରେଖା ଜାଣେ ନାହିଁ।
ଦୁଃଖର ଜୁଇରେ ନିଇତି ଜଳାଇ
ନିଜ ଲୁହ ପିଇ ପିଇ
କୁହୁଡିର ସମ ସପନ ହଜାଇ
ସୂରୁଜ ଆସିଲେ ଉଇଁ।
ଜୀବନଟା ଲାଗେ ଅଲୋଡ଼ା ଅସୁହା
ଭାଙ୍ଗେ ବଞ୍ଚିବାର ମୋହ
ଦୁଃଖକୁ ସାଉଁଟି ବେଦନାରେ ଜଳେ
ହୃଦୟରେ ଭରି କୋହ।