STORYMIRROR

Narayan chandra Nayak

Action

4  

Narayan chandra Nayak

Action

ଫେରିବୁ ନିଶ୍ଚୟ ଆମେ ଦିନେ....

ଫେରିବୁ ନିଶ୍ଚୟ ଆମେ ଦିନେ....

1 min
238


ଫେରିବୁ ନିଶ୍ଚୟ ଆମେ ଦିନେ

ଉତ୍କଳ ଜନନୀ କୋଳକୁ

ଆକୁଳ ନୟନେ ରହିଛୁ ଚାହିଁ

ସେଇ ଶୁଭ ଲଗନକୁ। 


ବାଜୁଥିବ ବିଜୟ ଭେରୀ

ବାଜୁଥିବ ମର୍ଦ୍ଦଳ, କାହାଳୀ

ଶୁଭୁଥିବ ଶୁଭ ଶଙ୍ଖ ଧ୍ବନି

ପୁଣି ପଡୁଥିବ ହୁଳହୁଳି। 


ଝଟକୁଥିବ ବିଜୟ ଟୀକା 

ମଥାରେ ଆମ୍ଭର

ବନ୍ଦାପନା କରି ପାଛୋଟି

ନେବେ ଆତ୍ମୀୟ ସୋଦର। 


ନିଜ ଜ୍ଞାତି କୁଟୁମ୍ବଙ୍କୁ ପାଇ

ହୋଇବୁ ଆନନ୍ଦ ବିଭୋର

ଆନନ୍ଦାଶ୍ରୁ ଝରି ପଡୁଥିବ

ନେତ୍ର ରୁ ଆମ୍ଭର। 


ବିଛେଦ ଜୀବନ ର ପୀଡା

ଆମର ହୋଇଯିବ ଦୂର

ସରସ ସୁନ୍ଦର ହୋଇ ଉଠିବ

ନିଃସଙ୍ଗ ଜୀବନ ଆମ୍ଭର।


କାହୁଁ କେତେ କାଳୁ ଆମେ

ହୋଇ କୋଣଠେସା

ବିଛିନ୍ନାଞ୍ଚଳ ରେ ରହିଅଛୁ

ମନେ ସଂଚାରି ଆଶା। 


ଉତ୍କଳ ମାତାଙ୍କ ଛବି

ହ୍ରୁଦୟ ରେ କରି ଧାରଣ

ବିଛିନ୍ନାଞ୍ଚଳରେ ରହିଅଛୁ 

ସହି ସହି ଦୁଃଖ କଷଣ। 


କଷଣର କଷଟି ପଥରେ

ଆମ୍ଭେ ହୋଇ ଭୀତତ୍ରସ୍ତ

ମେଦିନୀପୁରେ ହାରିଦେଲୁ

ଆମେ ନିଜର ଅସ୍ତିତ୍ବ। 


ବରଣ କରି ନେଲୁ

ବଙ୍ଗୀୟ ଚାଲିଚଳନ

ନୀଳବର୍ଣ୍ଣ ଶ୍ରୁଗାଳ ପରି

ଆମେ ଜୀଉଁଛୁ ଜୀବନ। 


ତୈଲଙ୍ଗୀ ଙ୍କ କବଳରେ

ଆମେ ହୋଇ କବଳିତ

ବିଶାଖା ଭୂଇଁରେ ଭୋଗୁଛୁ

ନିର୍ବାସିତ ଜୀବନ ର କଷ୍ଟ। 


ମରଣ ଦୂଆରେ ବସି

କରୁଅଛୁ ମନ୍ତ୍ର ସାଧନା

ଜୀବିତ ରଖିବା ପାଇଁ 

ସିମାନ୍ଧ୍ରେ ଓଡ଼ିଆ ଚେତନା। 


ଜଶପୁରେ ହଜି ଗଲାଣି

ଆମର ଯଶ ଟେକ

ଫୁଲଝରା ଫୁଲଝରେ ରୁଗ୍ଣ

ଆଜି ଆମ ଭାଷା ବୃକ୍ଷ । 


ବସ୍ତରେ ବିସ୍ତାର ଲଭି ଥିଲା

ଯେଉଁ ଓଡ଼ିଆ ଭାଷା ସଂସ୍କୃତି

ଅଣ ଓଡ଼ିଆଙ୍କ ଦୌରାତ୍ମ୍ଯରେ

ବିପନ୍ନ ହେଲାଣି ତା'ର ସ୍ଥିତି। 


ଘୋର ମନସ୍ତାପ ରେ 

ଆମେ ବିତାଉଛୁ ଦିନ

ଏଇ ସିଂହଭୂମି ବକ୍ଷେ

ହୋଇକି ହୀନିମାନ। 


ଯେବେଠାରୁ ସିଂହଭୂମି

ଓଡିଶାରୁ ହୋଇଛି ବିଛିନ୍ନ

ସେବେଠୁଁ ଆରମ୍ଭ ହୋଇଛି

ଆମର ଦୁଃଖମୟ ଦିନ। 


ଅମୃତ ସମ ମାତୃଭାଷା

ଶିକ୍ଷାରୁ ବଂଚିତ ହୋଇ

ବିଛିନ୍ନ ଭୂଇଁରେ ବଂଚିଛୁ

ଆମେ ଉପେକ୍ଷିତ ହୋଇ। 


ଉପେକ୍ଷିତ ଜୀବନର

ଅନ୍ଧାରି ମୁଲକେ

ନିତି ଜଳାଉଛୁ ଆମ୍ଭେ 

ମନେ ଆଶାର ଆଲୋକ। 


ସେଇ ଆଲୋକ ବର୍ତ୍ତିକା

ଦେଖାଇବ ଦିନେ ମୁକ୍ତିର ପଥ

ମୁକତି ପଥରେ ଚାଲି ନିଶ୍ଚୟେ

ଆମ୍ଭେ ଶତୃଙ୍କୁ କରିବୁ ପରାସ୍ତ। 


ବିଜୟୀ ହୋଇ ଉଚ୍ଚ କରି ଶିର

ଫେରିବୁ ଜନନୀ କୋଳକୁ

ଛିଡାଇ ଦେଇ ଆମ୍ଭେମାନେ

ପରାଧୀନତାର ଶିକୁଳିକୁ। 









































































     


































































ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action