ଆମ ମାତୃଭାଷା କେଡେ ମହାନ୍
ଆମ ମାତୃଭାଷା କେଡେ ମହାନ୍
✨ଆମ ମାତୃଭାଷା କେଡେ ମହାନ୍✨
କହିବା ଓଡ଼ିଆ ଲେଖିବା ଓଡ଼ିଆ
ପଢିବା ଓଡ଼ିଆ ବହି
ଓଡ଼ିଆ ଭାଷାର କରିବା ବନ୍ଦନା
ଓଡ଼ିଆ ସଙ୍ଗୀତ ଗାଇ।
ମାନକ ଓଡ଼ିଆ ଆମର ମାତୃଭାଷା
ସଭିଏଁ କରହେ ଗ୍ରହଣ
ଭାଷା, ଉପଭାଷା ନକରି ଭେଦଭାବ
ବଢାଇବା ତାର ମାନ।
ଆମ ମାତୃଭୂମିର ଯେତେ ଦେଶଜ ଶବ୍ଦ
ସେସବୁକୁ କରିଣ ପ୍ରୟୋଗ
ଆମ ମାତୃଭାଷାକୁ ଆମେ କରିବା ସମୃଦ୍ଧ
ମନୁ ପ୍ରତିହିଂସା କରିଣ ତ୍ଯାଗ।
କଣ, କିଅଣ, କାଣା କିସ୍, କିରା, କିସ
ଆମ ଭାଷାର ଅଟଇ ଅଂଶ
ଚାହିଁଲେ ବି ପାରିବାନି ସେମାନଙ୍କୁ ଅଲଗା କରି
ତାଙ୍କର ପରା ଗୋଟିଏ ବଂଶ।
କେନ୍ଦୁଝରିଆ,ସିଂଭୂଇଁଆ ସମ୍ବଲପୁରୀ, କଳାହାଣ୍ଡିଆ
କୋରାପୁଟିଆ ଅବା ଢେଙ୍କାନାଳିଆ
ମେଦିନୀପୁରୀ,ସୁନ୍ଦରଗଢି ମୟୂରଭଞ୍ଜି,ଉପକୂଳିଆ
ଆମର ପରିଚୟ ଯେ ଆମେ ସବୁ ଓଡ଼ିଆ।
ପରସ୍ପର ପ୍ରତି ରଖି ସ୍ନେହ, ଶ୍ରଦ୍ଧା ମନୋଭାବ
ମଧୁବାବୁ, ଗୋପବନ୍ଧୁ, ଗଙ୍ଗାଧର....
ଛିନ୍ନଭିନ୍ନ ଏ ଜାତିକୁ ଦେଲେ ଆଣି ପରିଚୟ
ସବୁ ଓଡ଼ିଆଙ୍କୁ କରି ଏକାକାର।
ଆଳି, ବାମଣ୍ଡା, ଜୟପୁର ପାରଳା, ବସ୍ତର, ଢେଙ୍କାନାଳ
ମୟୂରଭଞ୍ଜ,ପାଟଣାଗଡ଼,ବଣେଇ
କଳାହାଣ୍ଡି,ଖଲ୍ଲିକୋଟ,ନୀଳଗିରି ଷଢେ଼ଇକଳା-ଖରସୁଆଁ ରାଜ୍ଯ
ଲଢିଲେ ମିଶି ଅଖଣ୍ଡ ଉତ୍କଳ ପାଇଁ।
ଚର୍ଯ୍ଯାପଦରୁ ଆଧୁନିକ ଯୁଗ କେତେ କେତେ ମହା କବି
ଓଡ଼ିଆ ଭାଷାକୁ କରିଲେ ସମୃଦ୍ଧ
ନିଜର ଭାବନାକୁ ଦେଲେ କାବ୍ୟ,କବିତାର ରୂପ
ଲେଖନୀ ମୂନରୁ ଝରାଇ ସରସ ଶବ୍ଦ।
ଜଗତରେ ଅଛି ଯେତେ ଭାଷା କୁହ, ପଢ, ବୁଝ ସେସବୁକୁ
କିଛି ଅସୁବିଧା ନାହିଁ ଭାଇ
ନିତିଦିନ ନିଜ ମାତୃଭାଷାକୁ ଅଧ୍ଯୟନ କରିଲେ ଜାଣିବ
କେଡେ ଯେ ମହନୀୟ ସେହି।
କେତେ କେତେ କାବ୍ଯ, ଗ୍ରନ୍ଥ ଶିଳାଲେଖ, ପାଣ୍ଡୁଲିପି ଦ୍ବାରା
ପ୍ରମାଣିତ ହୋଇଛି ଯାହାର ଉତ୍କର୍ଷତା
ସବୁଠୁଁ ପ୍ରାଚୀନ ଭାଷା ରୂପେ ସେହି ଭାଷା ହୋଇ ବିବେଚିତ
ସଂସାରେ ଲଭିଛି ଶାସ୍ତ୍ରୀୟ ମାନ୍ଯତା ।
ଆମରି ମାତୃଭାଷା ଆମରି ପରିଚୟ ବୋଲି
ଚିତ୍ତେ ତାକୁ ସର୍ବଦା ହେଜି
ଆଜି ଏ ଭାଷା ଦିବସରେ ଚାଲହେ ସଭେଁ ଶପଥ କରିବା
ତା ରକ୍ଷା ପାଇଁ ଦେବା ଜୀବନ ବାଜି।
✨✨✨✨✨✨✨✨✨✨✨✨✨✨✨✨
ନାରାୟଣ ଚନ୍ଦ୍ର ନାୟକ
ଜାମସେଦପୁର
