STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

ଆମ ଜନମ ଭୂମି ସିଂହଭୂମି

ଆମ ଜନମ ଭୂମି ସିଂହଭୂମି

2 mins
23

🌸ଆମ ଜନମ ଭୂମି ସିଂହଭୂମି 🌸
କେଡେ ସୁନ୍ଦର ଆମ ଜନମ ଭୂଇଁ
ସିଂହଭୂମି ନାମ ଅଟଇ ତାହାର
ରୂପସୀ ଚାଣ୍ଡିଲ ମସ୍ତକେ ଶୋଭଇ
ସୁବର୍ଣ୍ଣରେଖା ତା'ର ଗଳାର ହାର। 

ଖରସ୍ରୋତେ ଖଡଖାଇ ତା ବକ୍ଷରେ
ଉଲ୍ଲସିତ ହୋଇ ନିତି ଯାଉଛି ବହି
ଗରବରେ ନିଜର ଛାତିକୁ ଫୁଲାଏ
ଷଢ଼େଇକଳାର ରାଜବାଟୀକୁ ଚାହିଁ। 

ଷୋଡ଼ଶ କଳାର ଆଭୂଷିତ ଭୂଇଁ
ଛଉର ଜନନୀ ଭାବରେ ପରିଚିତ
ଷଢ଼େଇକଳା-ଖରସୁଆଁଗଢ ଭୂମିକୁ
ବିଶ୍ବବନ୍ଦିତ କରିଛି ଏ ସମର ନୃତ୍ୟ । 

ରଙ୍କିଣୀ,ପାଉଡି, ଆର୍କଷିଣୀ,ଦେଉଡି
ତାରିଣୀ,କଂସରା,କେରା ମହାମାୟୀ
ସପ୍ତମାତୃକା ରୂପେ ହୋଇ ବିରାଜିତ
ସିଂହଭୂମିଆଙ୍କୁ ରଖିଲେ ଘଣ୍ଟ ଘୋଡାଇ। 

କେରା ଗ୍ରାମ ଦେଇ ଯାଉଅଛି ବହି
କୁଳୁକୁଳୁ ଶବଦ କରି ବ୍ରାହ୍ମଣୀ ନଇ
କେରାଗଡ଼ ରାଜା ପ୍ରଜାଙ୍କର ଆରାଧ୍ୟ
ମାଁ କେରା ଭଗବତୀଙ୍କ ଆଶିଷ ନେଇ। 

ଶାଳ ପିଆଶାଳ ସବୁଜିମାରେ ଭରା
ସୁରମ୍ଯ ସରଣ୍ଡା ସିଂହଭୂମି ମଥା ମଣି
ସାତଶହ ପର୍ବତ ସଂଯୁକ୍ତ ଏ ଭୂମିର
ସୌନ୍ଦର୍ଯ୍ଯମୟୀ ରୂପ ମନକୁ ନିଏ କିଣି। 

ଖଣ୍ଡିତ ଶିବଲିଙ୍ଗ ରୂପରେ ପ୍ରଭୁ ଭୋଳାନାଥ
ମହାଦେବଶାଳ ଠାରେ ହୋଇଲେ ପ୍ରକଟ
ମହିମାନ୍ବିତ ପ୍ରଭୁଙ୍କ ଆଶିଷ ପାଇବା ପାଇଁ
ଭକ୍ତିନିମଗ୍ନ ହୋଇ ପୂଜାର୍ଚ୍ଚନା କଲେ ଭକତ। 

ପୁରାତନ ସଭ୍ଯତାର ମୁକସାକ୍ଷୀ ରୂପେ
ରହିଛି ଅଲୌକିକ ବିଶାଳ ବେଣୀସାଗର
ବିରାଜିତ ହୋଇ ଗୁପ୍ତଗଙ୍ଗା ସନ୍ନିକଟେ
କୃପା ବରଷିଲେ ମୁର୍ଗାଁ ମହାଦେବ ଠାକୁର। 

ପୂର୍ବଦିଗରେ ସୂର୍ଯ୍ୟଙ୍କ ସୁନେଲି କିରଣେ
ଝଲସି ଉଠଇ ବିସ୍ତୀର୍ଣ୍ଣ ସମତଳ ଭୂଇଁ
ହସଇ ସୁଶୋଭିତ ସୁନ୍ଦର ଶାଳୀ କ୍ଷେତ
ଉତ୍ତରା ଶୀତଳ ସମୀରଣ ପରଶ ପାଇ। 

ଭଞ୍ଜଭୂମି ଓ ଧଳଭୂମି ସୀମାନ୍ତଞ୍ଚଳରେ
ବାବା ଚିତ୍ରେଶ୍ଵର ହୋଇଲେ ଆବିର୍ଭୂତ
କଳିଙ୍ଗ ବାସ୍ତୁକଳାରେ ନିର୍ମିତ ମନ୍ଦିରେ
ଭକ୍ତଙ୍କୁ ଦର୍ଶନ ଦେଲେ ହୋଇ ଦ୍ବିଖଣ୍ତିତ। 

ଘଣ୍ଟଶିଳାରେ ସୁବର୍ଣ୍ଣରେଖା ନଦୀ ତୀରେ
କି ସୁନ୍ଦର ଦିଶଇ ସୂର୍ଯ୍ୟଙ୍କର ଉଦୟ ଅସ୍ତ
ଇଷ୍ଟଦେବୀ ରଙ୍କିଣୀ ମାତାଙ୍କ ସାନିଧ୍ୟ ଲଭି
ଧଳ ରାଜବଂଶ ଏ ଭୂମିରେ କଲେ ରାଜତ୍ବ। 

ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଏ ମାଟିରେ
ଗଢ଼ି ଉଠିଛି ଅନେକ ସମୃଦ୍ଧ ଶିଳ୍ପାନୁଷ୍ଠାନ
ଉର୍ବର ମୂର୍ତ୍ତିକା, ଉନ୍ନତ ଜଳସେଚନ ଦ୍ବାରା      
ସିଂହଭୂମି କୃଷିକ୍ଷେତ୍ରରେ ହୋଇଅଛି ସମ୍ପନ୍ନ। 

ଓଡ଼ିଆଭାଷୀ ଆଦିବାସୀ, କୋଲ୍ହ, କୁଡୁମୀ
ସହାବସ୍ଥାନ କରିଲେ ସିଂହଭୂମିରେ ଏକାଠି
ଓଡ଼ିଆ ଓ ଜନଜାତି ଭାଷା ସଂସ୍କୃତି ମିଳନେ
ସମୃଦ୍ଧ ହୋଇଛି ଆମରି କୋଲ୍ହାଣ ମାଟି।

ଆମର ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କ କୃପାରୁ
ଉନ୍ନତିର ଶିଖର ଛୁଉଁ ଆମ ଜନମ ମାଟି
ପ୍ରାଚୀନ ଉତ୍କଳ ଦେଶର ଏ ଭୂମିଖଣ୍ତରେ
ସଦା ଅକ୍ଷୁର୍ଣ୍ଣ ରହୁ ଓଡିଆ ଭାଷାସଂସ୍କୃତି। 
🌸🌸🌸🌸🌸🌸🌸🌸🌸🌸
                          ନାରାୟଣ ଚନ୍ଦ୍ର ନାୟକ
                          ଜାମସେଦପୁର






























ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics