ଫଗୁଣର ରଙ୍ଗ ପସରା
ଫଗୁଣର ରଙ୍ଗ ପସରା
🌈ଫଗୁଣର ରଙ୍ଗ ପସରା🌈
ଫଗୁଣ ମାସ ପ୍ରବେଶିଲା
ପ୍ରକୃତିର ରଙ୍ଗ ଚହଟିଲା
ପତ୍ରଝଡା ଥୁଣ୍ଟା ବୃକ୍ଷଗୁଡ଼ିକ
ସବୁଜିମାରେ କି ସୁନ୍ଦର ଦିଶିଲା।
ଆମ୍ବ ବଉଳର ମଧୁର ବାସରେ
ମହକି ଉଠିଲାଣି ବାତାବରଣ
ଶୀତଳ ସମୀରଣ ପରଶରେ
ପୁଲକିତ ହୋଇଲାଣି ତନୁ ମନ।
ଆହା'କି ମନୋହର ଦିଶିଲାଣି
ପଳାଶ, ଶିମିଳି ଫୁଲର ଆଭା
ରଙ୍ଗ ବେରଙ୍ଗୀ ଫୁଲ ଫୁଟିଲେ
ବଢାଇ ଧରଣୀରାଣୀଙ୍କ ଶୋଭା।
ବସନ୍ତଦୂତ ସାଜି କଳା କୋଇଲି
ଦର୍ଶନ ଦେଲା ପଞ୍ଚମତାନରେ ଗାଇ
କୁହୁକ ବୋଳା ତାହାର ସେହି ତାନ
କର୍ଣ୍ଣେ ପଡିଲେ ମନ ଯାଉଛି ମୋହି।
ବର୍ଷକ ଯାକର ଅନ୍ତର୍ଦ୍ଧାନ ପରେ
ଋତୁରାଜଙ୍କ ସହିତ ବସିଣ ମିତ
ଗଛ ଡାଳରୁ ଡାଳ ଡିଆଁ ଦେଲେଣି
ଖୁସିରେ ଝୁମି ଝୁମି ହଳଦୀବସନ୍ତ।
ବନ ଉପବନେ ମହୁଲ ଫୁଟିଲା
ମାଦକତା ଭରିଦେଇ ଚଉପାଶେ
ବାସ୍ନା ବୁଣି ଶୁଭ୍ର ମହୁଲ ପଡିଲେ ଝଡି
କେଡେ ସୁନ୍ଦର ଗଛ ଚାରିପଟ ଦିଶେ।
କଅଁଳ ପତ୍ର ଗହଳେ କରି କଳରବ
ପକ୍ଷୀମାନେ କରିଲେଣି ବସା ତିଆରି
ନିଜ ନିଜର ସଙ୍ଗୀଙ୍କୁ ସାଥିରେ ଧରି
ବିଭିନ୍ନ ସ୍ଥାନରୁ କାଠିକୁଟା ସଂଗ୍ରହ କରି।
ପ୍ରଜାପତି, ଭଅଁର ହେଲେଣି ଉଛନ୍ନ
ସୁଗନ୍ଧିତ ପୁଷ୍ପ ଗୁଡ଼ିକୁ ଚୁମ୍ବିବା ପାଇଁ
ଗୁଣୁଗୁଣୁ ଗାଇ ମହୁମାଛି ଉଡିଲେଣି
ସୁବାସିତ ଫୁଲରୁ ମଧୁ ଶୋଷିବା ପାଇଁ।
ଶିଶିରର ଅନ୍ତେ ବସନ୍ତ ଆସନ୍ତେ
ପୁଷ୍କରିଣୀ ଜଳ ଦିଶିଲାଣି ନିର୍ମଳ
ଚୋରା ମଳୟ ସ୍ପର୍ଶେ ଫୁଟିଲେଣି
ଖିଲିଖିଲି ହସିଣ ପଦୁଅଁ ଫୁଲ।
ଫଗୁଣ ପ୍ରବେଶେ ଫଗୁ ମାଖି ହୋଇ
ଶ୍ରଦ୍ଧାରେ କାନ୍ଧେଇ ଦୋଳ ବିମାନ
ଭକ୍ତମାନେ ରାଧାକୃଷ୍ଣଙ୍କ ଭକ୍ତିରେ ମଜ୍ଜି
ଗ୍ରାମ ନଗରେ କଲେଣି ଦୋଳ ମେଲଣ।
ଫଗୁଣର ସବୁ ରଙ୍ଗକୁ ବୋଳି ହୋଇ
ପ୍ରକୃତିରାଣୀ ଯେପରି ହୋଇଛି ରଙ୍ଗୀନ୍
ସେହି ପ୍ରାକୃତିକ ରଙ୍ଗରୁ ପ୍ରେରଣା ନେଇ
ମର୍ତ୍ତ୍ଯବାସୀ ରଙ୍ଗର ପର୍ବ କରିବେ ପାଳନ।
🌈🌈🌈🌈🌈🌈🌈🌈🌈🌈
ନାରାୟଣ ଚନ୍ଦ୍ର ନାୟକ
ଜାମସେଦପୁର
