STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

ଗ୍ରୀଷ୍ମଋତୁ ମାହାତ୍ମ୍ଯ

ଗ୍ରୀଷ୍ମଋତୁ ମାହାତ୍ମ୍ଯ

1 min
8

 🌞ଗ୍ରୀଷ୍ମଋତୁ ମାହାତ୍ମ୍ଯ🌞
ସୂର୍ଯ୍ୟଙ୍କର ତାପ ହୁଅଇ ପ୍ରଖର
ଋତୁରାଜ ବସନ୍ତକୁ ଦେଇ ବିଦାୟ
ଅସ୍ତବ୍ୟସ୍ତ କରି ପକାଏ ଝାଞ୍ଜି ପବନ
ଉଭେଇ ଗଲେ ଚୋରା ମଳୟ। 

ପହିଲି ବୈଶାଖ ପଣା ସଙ୍କ୍ରାନ୍ତି ତିଥି
ଓଡ଼ିଆ ନୂତନ ବର୍ଷ ହୁଅଇ ପାଳନ
ନବବର୍ଷର ନୂତନ ଉନ୍ମାଦନା ସହିତ
ପ୍ରାଣୀଜଗତ ଗ୍ରୀଷ୍ମଋତୁକୁ କରେ ବରଣ। 

ଗ୍ରୀଷ୍ମକାଳର ପ୍ରଚଣ୍ଡ ରୌଦ୍ରତାପରେ
ଫାଟି କରି ଆଁ ଦିଶଇ ଭୂମିପୃଷ୍ଠ
ଶୁଖିଯାଏ ଗାଡିଆ,ପୋଖରୀ,ନାଳ,ନଈ
ଜଳ ବିନା ଜୀବଜନ୍ତୁ ହୁଅନ୍ତି ଅତିଷ୍ଠ। 

ପ୍ରବଳ ହୋଇଲେ ଖରା ଗୁଳୁଗୁଳି
ଅସ୍ତବ୍ଯସ୍ତ ହୋଇ ପଡଇ ଜନଜୀବନ
ମଧ୍ଯାହ୍ନେ ସତେ ଆକାଶୁ ଅଗ୍ନି ଝରଇ
କାଳବୈଶାଖୀରେ ଭିଜଇ ଅପରାହ୍ନ। 

ଧୁ ଧୁ ଖରା ତାତିରୁ ପାଇବାକୁ ତ୍ରାହି
ପଥିକଟିଏ ଖୋଜଇ ବୃକ୍ଷର ଛାଇ
ଖରା ତାତିକୁ ନ ଡରି କୃଷକ ଭାଇ
ହଳଲଙ୍ଗଳ ଯୋଚି କ୍ଷେତକୁ ଚଷଇ। 

ଚାଷଜମି ପ୍ରସ୍ତୁତ କରୁକରୁ ଚଷାପୁଅ
ଆସଇ ପବିତ୍ର ଅକ୍ଷୟ ତୃତୀୟା ତିଥି
ସରାଗେ ନୂଆ ବସନ ପିନ୍ଧି କୃଷକମାନେ
ନିଜ କ୍ଷେତରେ କରନ୍ତି ଅନୁକୁଳ ଅକ୍ଷିମୁଠି। 

ଆମ୍ବ,ପଣସ,ବେଲ ନାନା ରକମର ଫଳ
ଖରା ତାପରେ ପାଚି ଗଛରୁ ପଡନ୍ତି ଖସି
ଡହଡହ ଖରା ତାତିରେ ମଉଳି ନ ଯାଇ
ନାଲି ଟହଟହ କୃଷ୍ଣଚୁଡା ଦିଏ ମୁରୁକି ହସି। 

ବୈଶାଖ ଶୁକ୍ଲ ତୃତୀୟାରୁ ଆରମ୍ଭ ହୁଅଇ
ଶ୍ରୀକ୍ଷେତ୍ରେ କାଳିଆ ସାଆନ୍ତଙ୍କ ଚନ୍ଦନ ଯାତ
ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀରେ ବ୍ରତଧାରୀମାନେ
ଉପବାସ ରହି ପାଳନ୍ତି ନୃସିଂହ ଚତୁର୍ଦ୍ଦଶୀ ବ୍ରତ। 

ଜ୍ଯୈଷ୍ଠ ମାସେ ଲୋକେ ଆନନ୍ଦ ଉଲ୍ଲାସେ ମାତି
ଗ୍ରାମ ନଗରେ ସାବିତ୍ରୀବ୍ରତ, ରଜପର୍ବ ପାଳନ୍ତି
ଶହେ ଆଠ ସୁନା କଳସୀ ଅଭିମନ୍ତ୍ରିତ ଜଳରେ
ସ୍ନାନ ପୂର୍ଣ୍ଣିମାରେ ସ୍ନାନ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି। 

ବୈଶାଖ ଜ୍ଯୈଷ୍ଠ ମାସର ରୌଦ୍ରତାପ କଷ୍ଟ
ଲାଘବ ହୁଅଇ ରଜ ପର୍ବରେ ଭିଜିଲେ ମହୀ
ନୂତନ ଆଶା ସଂଚାରି ଆସଇ ବରଷା କାଳ
ବାହୁଡି ଯାଏ ଗ୍ରୀଷ୍ମଋତୁ ନିଜର ମାହାତ୍ମ୍ଯ କହି। 
  🌞🌞🌞🌞🌞🌞🌞🌞🌞🌞 ନାରାୟଣ ଚନ୍ଦ୍ର ନାୟକ
                          ଜାମସେଦପୁର





























ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics