STORYMIRROR

Narayan chandra Nayak

Fantasy

4  

Narayan chandra Nayak

Fantasy

ଚଇତି ମାସର କଥା

ଚଇତି ମାସର କଥା

1 min
23

   🌿ଚଇତି ମାସର କଥା🌿
ଫୁଲେଇ ଫଗୁଣକୁ ଦେଇ ବିଦାୟ
ଧରାଧାମକୁ ଚୈତ୍ରମାସ ପ୍ରବେଶିଲା
ବସନ୍ତଋତୁର ଶେଷ ଲଗ୍ନକୁ ସୁଚାଇ
ଚୋରା ଚଇତାଳି ମଳୟ ବହିଲା। 

ସୁବାସିତ ଯୁଇ ଜାଇ ଟଗର ଚମ୍ପା
ମାଧବୀ, ମାଳତୀ ଚହଟିଲେ ଫୁଟି
ମଧୁର ବାସ୍ନା ବିତରି ମହୁଲ ଗଛରୁ
ଖସି ପଡୁଥାଏ ହୋଇ ଗୋଟି ଗୋଟି। 

ନିମ୍ବ ଫୁଲର ମଧୁର ବାସ୍ନା ପରଶେ
ଚନ୍ଦନ ପରି ଲାଗଇ ଚଇତି ପବନ
ଲୋକମାନେ ନିମ୍ବ କଢିର ହିତକୁ ଜାଣି 
ଚଇତେ ନିମ୍ବ ଚକୁଳି କରିଲେ ଭକ୍ଷଣ। 

ଚଇତି ପବନ ହୋଇଲେ ଚଇତିମତା
ଅପରାହ୍ନେ ଆକାଶେ ଘୋଟଇ ଧୁମାଳ
ଘଡ଼ଘଡ଼ି ବରଷା ସହ ଧୂଳିଝଡ ହେଲେ
ଚୁତ ତରୁରେ ସରାଗେ ଝୁଲଇ ଚୁତ ଫଳ। 

ଆମ୍ବ, ପଣସ,ବେଲ ନାନାଦି ଫଳ ଫଳିଲେ
ବଢାଇ ଦେଇଣ ବାଡ଼ି ବଗିଚାର ଶୋଭା
ପଳାଶ,କୃଷ୍ଣଚୂଡ଼ା ଫୁଲର ନାଲି ରଙ୍ଗରେ
ପ୍ରକୃତିର ନବୀନ ରୂପ ଦିଶଇ ମନଲୋଭା। 

ଓଡ଼ିଆ ପଞିକାର ଏହି ଶେଷ ମାସରେ
ମାଆମାନେ କରନ୍ତି ଚୈତ୍ର ମଙ୍ଗଳା ପୂଜା
ଚୈତ୍ର ଶୁକ୍ଲ ପ୍ରତିପଦାରେ ହୁଅଇ ଆରମ୍ଭ
ହିନ୍ଦୁ ନବବର୍ଷ ସହିତ ବାସନ୍ତୀକ ଦୁର୍ଗାପୂଜା। 

କୃଷ୍ଣ ପକ୍ଷରେ ହୋଲି ସହ ପାଳିତ ହୁଅଇ
ପାପମୋଚନୀ ଏକାଦଶୀ, ପଞ୍ଚୁଦୋଳ ଯାତ
ଶୁକ୍ଲ ପକ୍ଷରେ ହୁଅଇ ପାଳନ ରାମନବମୀ
ହନୁମାନ ଜୟନ୍ତୀ ପୁଣି ମା ତାରିଣୀଙ୍କର ଯାତ। 

ଧରା ଉତ୍ତପ୍ତ ହୋଇବ ପ୍ରଚଣ୍ଡ ଗ୍ରୀଷ୍ମେ
ବୈଶାଖ ମାସ ଆସିଲେ ଚଇତି ଶେଷେ 
ଋତୁରାଜ ବସନ୍ତଙ୍କର ବିଦାୟ ସହିତ
ମଧୁମାସର ମଧୁରତା ସରିଯିବ ନିମିଷେ। 
  🌿🌿🌿🌿🌿🌿🌿🌿🌿                               
                                 ନାରାୟଣ ଚନ୍ଦ୍ର ନାୟକ
                                 ଜାମସେଦପୁର



























ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy