ଫେରିବ କେବେ ଜାଣେନା
ଫେରିବ କେବେ ଜାଣେନା
ଏଇ ଏବେ ଏବେ ଯାଇଛି ସେ ବର୍ଷା
ଫେରିବ କେବେ ଜାଣେନା
ମନ ମୋର କାହିଁ ହୁଏ ଆନମନା
ଜମା ବି ସିଏ ମାନେନା।
ତା ଶୀତଳ ସ୍ପର୍ଶ ଭରିଥିଲା ମନେ
ଅଦ୍ଭୁତ ଶିହରଣ,
ହେଇଗଲା ପ୍ରେମ କେମିତି କେଜାଣି
ମନ ହେଲା ଉଚ୍ଛନ୍ନ।
ଇନ୍ଦ୍ରଧନୁର ସାତ ରଙ୍ଗ ଆଣି
ବୋଳିଲା ସେ ମୋ ଦେହରେ,
ଦେହ ମୋ ଭିଜିଲା ମନ ମୋ ହଜିଲା
ରଙ୍ଗିନ ହେଲା ସବୁରେ।
ତୃଷାର୍ତ୍ତ ହୃଦୟ ଶୋଷ ମେଣ୍ଟାଇଲା
ତୃପ୍ତ କଲା ମୋର ପ୍ରାଣ,
ନୂତନ ଆଶାର ଅଙ୍କୁରୋଦ୍ଗମ
ମନେ କଲା ସଞ୍ଚରଣ।
ଭାବି ନେଲି ମନ ଉଦ୍ୟାନରେ ମୋର
ଫୁଟାଇବି ନୂଆ ଫୁଲ,
ସବୁଜ ସତେଜ ରହିଥିବ ସଦା
ଦେଖୁଥିବି ଚିରକାଳ।
ଫୁଲ ବି ଫୁଟିଲା ବାସ ବି ଛୁଟିଲା
ମହକିଲା ଚଉଦିଗ,
ମଧୁପ ପରାୟେ ହେଲି ମୁଁ ପାଗଳ
ଲଭିବାକୁ ତା ଆସାଦ୍ବ।
ମଧୁପାନେ ମୁଁ ଯେ ମଜିଗଲି କାହିଁ
ବାନ୍ଧି ନେଲା ଫୁଲରାଣୀ,
ତା ବାହୁ ବନ୍ଧନ କରିଲା କେ ଛିନ୍ନ
ପାରିଲିନି ମୁହିଁ ଜାଣି।
କହିଲା ସେ ମତେ ଆଉ ନୁହେଁ ପ୍ରିୟ
ପୀରତି ସେତିକି ଥାଉ,
ଦେହରୁ ଶକ୍ତି ମୋ ସରି ଆସିଲାଣି
ଏବେ ତ ବିରତି ହେଉ।
ବର୍ଷା ତ ଗଲାଣି ଫେରି ତା ରାଇଜେ
ଆସିବ କେବେ ସେ ଜାଣେନା,
ବିରହ ବେଦନା ଅସହ୍ୟ ଯନ୍ତ୍ରଣା
କାହିଁକି ସହି ସେ ହୁଏନା।