ଫେରି ଆସିବୁ କି ତୁହି ?
ଫେରି ଆସିବୁ କି ତୁହି ?
ମନେଅଛି ଆର ବରଷର କଥା
ପହଞ୍ଚି ନ ଥିଲା ରାକ୍ଷୀ
କୋହଭରା କଣ୍ଠେ କହିଥିଲୁ ଯାହା
ମନରେ ଅଛି ମୁଁ ଲେଖି ।
ନ ଥିଲୁ ପାଖରେ ,ଥିଲୁ ବିଦେଶରେ
ଜୀବନ ଜୀବିକା ପାଇଁ
ଡାକରେ ଦେଲି ମୁଁ ରାକ୍ଷୀ ଲଫାପାରେ
ନ ପହଞ୍ଚିଲା ସେ ଭାଇ ।
ଅଭିମାନରେ ତୁ କହିଲୁ ଫୋନ୍ ରେ
ମୋର ହାତ ଅଛି ଖାଲି
କେତେ ଆଶାରେ ମୁଁ ବସିଥିଲି ଚାହିଁ
ତୋ ରାକ୍ଷୀ ପିନ୍ଧିବି ବୋଲି ।
କହିଥିଲି ମୁହିଁ ଆର ବରଷକୁ
ଆଗରୁ ଦେବି ପଠାଇ
ରାକ୍ଷୀପୂର୍ଣ୍ଣିମାର ଆଗରୁ ନିଶ୍ଚିତ
ପହଞ୍ଚିବ ରାକ୍ଷୀ ଯାଇ।
କରୋନାର ହାତ ଧରି ଗଲୁ ଚାଲି
ପଛକୁ ଚାହିଁଲୁ ନାହିଁ
ନ ପାରିଲି ଦେଖି ତୋ ମୁହଁକୁ ଥରେ
ସନ୍ତାପି ହେଉଛି ମୁହିଁ।
ରାକ୍ଷୀଟିଏ ଧରି କେତେ ଆବେଗରେ
ବସିଛି ଶୂନ୍ୟକୁ ଚାହିଁ
ଯେଉଁ ରାଇଜରୁ ଫେରିନାହିଁ କେହି
ଫେରି ଆସିବୁ କି ତୁହି?