ଫେରେନି ସମୟ
ଫେରେନି ସମୟ


କ୍ଷଣକ୍ଷଣର ଜର୍ଜରିତ ବେଦନାସିକ୍ତ ଗୁପ୍ତ ଲୁହ
ମୁହୂର୍ତ୍ତ ମୁହୂର୍ତ୍ତର ଆତ୍ମାରୁ ପଡି଼ଥିବା ଅଭିଶାପ
ବିବେକର ରାତିରାତି ନିଃଶବ୍ଦ ଅଜସ୍ର କାନ୍ଦ
ତକିଆ ସହ ଲୁହ ନଦୀରେ ମିଳିତ ସ୍ନାନ
ପ୍ରତି ରାତିରେ ହାଣିଦେଉଥିବା ଚେତନା ଚିନ୍ତା
ଲେଖିଥିବା ଦୁଃଖର କେତେ ଆତ୍ମାର କବିତା
ଛାତି ଫଟାଉଥିବା ସେହି ଅଗଣିତ କୋହ
ନିଃଶ୍ୱାସ ପଡ଼ିସାରିଛି ପରିଣାମ ତା'ର ଥୟ
ମହାପାପୀ ରସାତଳକୁ ଯିବ ଏହା ନିଶ୍ଚୟ
ଯାହା କରୁ ସ୍ୱାର୍ଥନିହିତ ତାର ହେବ ପରାଜୟ
ମିଳିବନି ଯେତେ ଚେଷ୍ଟାକ ଲେ ବି ଅଭୟ
ଫେରିବନି ଅଭିଶାପ ଓ ଫେରେନି ସମୟ
ସମାଜରୁ ମିଳୁଥିବା ସେ ଯନ୍ତ୍ରଣାଦାୟକ ଅପମାନ
ପ୍ରତିଦିନ ସ୍ୱାଭିମାନ ହେଉଥିଲା ହୀନିମାନ
ଶୁଖିଲା ଦୟାଭାବର ନିତିଦିନିଆ ଦର୍ଶନ
ତିଳତିଳ କଷଣ ସବୁ ମନେରହିବ ଆଜୀବନ
ଜୀବନ୍ତ ଜାଳୁଥିବା ପ୍ରଶ୍ନଗୁଡ଼ିକର ତୀକ୍ଷ୍ଣ ତୀର
କାହାକୁ ଦିଶୁନଥିଲା ଉଦାରପଣ ଯୋଗ୍ୟତାର
ସମସ୍ତେ ଜାଣନ୍ତି କାହା ମନରେ ଜନ୍ମିତ ଭୟ
ଅତିଚାଲାକି ମଣିଷ ଅହଙ୍କାରେ ହରାଏ ଲୟ
ଈଶ୍ୱର ଜାଣନ୍ତି କିଏ ସେ "ବିଜୟ" କାହା ପରାଜୟ
ନିଜକୁ ନିଜେ ସାନ୍ତ୍ୱନା ଦେବାର ପଣ ଅସହାୟ
ପାଇବନି ଯେତେ ଚେଷ୍ଟା କଲେ ବି ଅଭୟ
ଫେରିବନି ଅଭିଶାପ ଓ ଫେରେନି ସମୟ
ବିଷାଦ ବେଳା ଭୁଲିବାର ନାହିଁ ପ୍ରଶ୍ନ ତିଳେ ମାତ୍ର
କ୍ଷମାଦେବାର କାଣିଚାଏ ଭାବ ନାହିଁ ଏହା ମନଚିତ୍ର
ଛାତି ଭିତର ଚିତ୍କାର ଶତଗୁଣ ହୋଇ ଘୁରିବୁଲିବ
ଅସତ୍ୟ ଅଧର୍ମ ହାରିଛି ଆହୁରି ବାରବାର ହାରିବ
ମା' ଆଖିର ଲୁହ ବାପର କୋହ ପରିବାର ଭୁଲିବନି
ଯାହା ତୁଣ୍ଡରୁ ନିର୍ଗତ ଶବ୍ଦ ଜମା କେବେ ଫେରିବନି
ଅନେକ ଅଶ୍ରୁ ପରେ ବି ଶୁଭିଛି ଶକ୍ତିର ଆହ୍ୱାନ
ଈନ୍ଦ୍ର ଦେଖିଛନ୍ତି ତାଙ୍କଠୁ ମାଗିପାରିବ ସେ ପ୍ରମାଣ
ହଜାରହଜାର ପରିବାର ଆଶିଷରୁ ଗଢା ଏ "ବିଜୟ"
ତା' ଲୁହ ଇତିହାସ ରଚିଛି ଦେଇଛି ଯୋଦ୍ଧା ପରିଚୟ
ପାଇବନି ଯେତେ ଚେଷ୍ଟା କଲେ ବି ଅଭୟ
ଫେରିବନି ଅଭିଶାପ ଓ ଫେରେନି ସମୟ।