ଫେରାଇ ଦିଅ ତା' ହସ
ଫେରାଇ ଦିଅ ତା' ହସ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଘର ଅଗଣାର ତୁଳସୀ ତ ସିଏ
ପୁଣ୍ୟତୋୟା ନଦୀ ଧାରା,
ତା' ସମ୍ମାନ ଲାଗି ,ଆଜି ଉଠ ଜାଗି
ହେ ମାନବ କୁଳ ସାରା।
ନ କର ତା' ଅପମାନ;
ଫେରାଇ ଦିଅ ତା' ଅତୀତ ଗୌରବ
ସମ୍ମାନ ଓ ସ୍ୱାଭିମାନ।
ନାରୀ ସ୍ନେହମୟୀ ,କଲ୍ୟାଣମୟୀ ଯେ
ସହନଶୀଳାଟି ସଦା,
ନୁହଁଇ ତ ସିଏ କାଠ-ପାଷାଣର
ଖେଳଣା କଣ୍ଢେଇ କଦା।
ନୁହେଁ ବି ସେ କ୍ରୀତଦାସୀ;
ଆବଶ୍ୟକ ହେଲେ ଶକ୍ତିମୟୀ ସାଜି
ପାପୀକୁ ଦିଅଇ ନାଶି।
ଲଳନା ବୋଲି ସେ ଛଳନା କରନା
ହେବ ବିପରୀତ ଦଶା,
ତା' ଦୀର୍ଘଶ୍ଵାସରେ ଜଳି-ପୋଡ଼ିଯିବ
ତୁମ ଭବିଷ୍ୟତ ଆଶା।
ତେଣୁ ହେ ମଣିଷ ଜାଗ ;
ନୁହଁଇ ସେ ଭୋଗ-ବିଳାସ ସାମଗ୍ରୀ
ତା' କଲ୍ୟାଣ କାର୍ଯ୍ୟେ ଲାଗ।
କରନା ତାହାର ଅସମ୍ମାନ ଆଉ
ଦିଅନାହିଁ ଅପମାନ,
ଦିଅ ତାକୁ ସେଇ ଅତୀତ ମର୍ଯ୍ୟାଦା
ଫେରାଅ ତା' ସ୍ୱାଭିମାନ।
ଫେରାଇ ଦିଅ ତା' ହସ;
ସେ ହସର ପ୍ରତିଧ୍ୱନିରେ ଗୁଞ୍ଜରି-
ଉଠୁ ଏ ବିବର୍ଣ୍ଣ ବିଶ୍ବ।।