ପଦଟିଏ ତୋ ନାଁରେ ପ୍ରିୟା ୪୬
ପଦଟିଏ ତୋ ନାଁରେ ପ୍ରିୟା ୪୬
ନୀରବ, ନିସ୍ତବ୍ଧ
ଘନ ଅନ୍ଧକାର ଭିତରେ
ତା’ରି କୋମଳ ଛୁଆଁ......
ସତେ ଅବା କେଉଁ ଅପସରୀର
ନଗ୍ନ ଅଭିସାର ।
ରୋମାଞ୍ଚିତ ତନୁ ମନ ମୋର
ସ୍ଵଚ୍ଛ ତୁଷାରର ରାତ୍ରିବାସ
ଭିତରେ ତା ଉନ୍ମୁକ୍ତ ଅଙ୍ଗ ସୌଷ୍ଠଭ
ଆମନ୍ତ୍ରଣ କରୁଥିଲା ମୋତେ ।
ସେ ଯେତିକି ଯେତିକି ଶୀତଳତା ନେଇ
ଜାବୁଡି ଧରୁଥିଲା ମୋତେ
ମୁଁ ସେତିକି ସେତିକି ଉତ୍ତପ୍ତ
ହୋଇ ଉଠୁଥିଲି;
ବିଗଳିତ, ଘର୍ମାକ୍ତ ହେଉଥିଲି ।
ସବୁଜ ପତ୍ର ଗହଳି ଭିତରୁ
ଆଖି ମାରି ଅଦୃଶ୍ୟ ହୋଇ ଯାଉଥିଲା ସେ,
ପୁଣି ଜ୍ୟୋତ୍ସ୍ନାର ଝଲକ ନେଇ
ଜାବୁଡି ଧରୁଥିଲା ମୋତେ ।
ଧୀରେ ଧୀରେ ମୁଦ୍ରିତ ହୋଇ ଯାଉଥିଲା
ଚକ୍ଷୁ ମୋର ....
ଆଉ ବି ମୋ ଛାତିରେ
ମଥା ରଖି ଶୋଇ ଯାଉଥିଲା
ଅଳସୀ ମୋ ପ୍ରିୟା ।