ପଦଟିଏ ତୋ ନାଁରେ ପ୍ରିୟା ୪୯
ପଦଟିଏ ତୋ ନାଁରେ ପ୍ରିୟା ୪୯
ମୁଁ ତୁମର ଶୂନ୍ୟ ଭୂଗୋଳ
ଭିତରେ ଆତଯାତ ହେଲି
ତୁମର କୋମଳ ସ୍ପର୍ଶରେ
ଘର୍ମାକ୍ତ ହେବାକୁ ଲାଗିଲା
ମୋ ଅବୟବ ।
ତାରାମାନେ ଆଖି ବୁଜିଦେଲେ ।
ଗଛମାନେ ମୁହଁ ତଳକୁ ପାତିଲେ
ପକ୍ଷୀଟିଏ ଲାଜେଇ ଯାଇ
ଚିତ୍କାର କଲା
ମୁହଁ ବୁଲାଇ ନେଇ ଉଡିଗଲା ।
ଝିଙ୍କାରିମାନେ ଚାଲିଗଲେ ମାଟିର ତଳକୁ
ଆହୁରି ତଳକୁ
ଲୁଚି ଲୁଚି ପ୍ରେମର ସଙ୍ଗୀତ ଗାଇଲେ ।
ମୋ ଦେହର ଉଷୁମ ରକ୍ତରେ
ଉଜାଣି ଉଠିଲା
ଅଙ୍ଗ ପ୍ରତ୍ୟଙ୍ଗରେ ସୃଷ୍ଟି ହେଲା
ଅପୂର୍ବ ଉଦ୍ଦାମତା
ମାଂସପେଶୀମାନେ ଫକ ଫକ
ନାଚି ଉଠିଲେ
ଲୋମକୁପ ଶିହରୀ ଉଠିଲା ।
ତୁମେ ମୋତେ ଜଡେଇ
ଧରିଥିବାର ଅନୁଭବ କଲି
ତଥାପି
ମୁଁ ଖୋଜିବାରେ ଲାଗିଲି ତୁମର ଶରୀର
ମୁହୂର୍ତ୍ତମାନେ ଦୀର୍ଘରୁ ଦୀର୍ଘତର ହେଲେ
ମୁଁ କିନ୍ତୁ ପାରିଲିନି
ତୁମେ ଥିଲ ଏକ ଆଶରୀରୀ !
ମୁଁ ତୁମକୁ ଶରୀର ଦେଲି
ତୁମ ଦେହରେ ହାତ , ଗୋଡ , ଓଠ ,
ନାସା , ଚକ୍ଷୁ , କେଶ , ସ୍ତନ ,ଜରାୟୁ .........ସର୍ବାଙ୍ଗ
ଖଞ୍ଜି ଦେଇ
ପାଲଟିଗଲି ସ୍ରଷ୍ଟା
ମୋ ସୃଷ୍ଟିର ମୁଁ ଅଧୀଶ୍ଵର ।
ମୋ ପ୍ରିୟତମାର ସ୍ରଷ୍ଟା ମୁଁ
ଦ୍ଵିତୀୟ ଇଶ୍ଵର ।