ପଦଟିଏ ତୋ ନାଁରେ ପ୍ରିୟା ୫୩
ପଦଟିଏ ତୋ ନାଁରେ ପ୍ରିୟା ୫୩
ମାଆର ପଣତ କାନିରୁ
ବାହାରି ଆସି କେବେ
ତୁମ ଓଢଣୀରେ
ଗୁଡେଇ ହୋଇଗଲି
ଜାଣି ହେଲାନି ।
ମାଆର ପଣତ କାନିରୁ
ଝରୁଥାଏ ଆଶୀର୍ବାଦର ଫୁଲ
ମନ୍ଦିରର ମହମହ
ଧୂପ, ଚନ୍ଦନର ବାସ୍ନା,
ମୁଣ୍ଡ ଉପରେ ବିସ୍ତୀର୍ଣ୍ଣ
ଛାତର ନିର୍ଭୀକ ପଣ,
ବେଳେବେଳେ ପଣତ କାନିଟା
ପୂରାପୂରି ଦେହକୁ ଗୁଡେଇ ଦିଏ ତ
ପାଲଟି ଯାଏ ଉଦର;
ଆଉ ମୁଁ ଛୋଟ ଭ୍ରୁଣଟିଏ ।
ପ୍ରିୟାର ଓଢଣୀରୁ
ସଞ୍ଚରିଯାଏ ରଜନୀଗନ୍ଧା
ଗୋଲାପ, ମଲ୍ଲୀର ମହକ,
ତା ଓଢଣୀର ସ୍ପର୍ଶରେ
ଛୁଇଁଯାଏ ମୋହିନୀ ମନ୍ତ୍ରର କୁହୁକ,
ଓଢଣୀଟା ମୁହଁ ଆଗରେ
ଛନ୍ଦି ହୋଇଯାଏ ତ
ଛିଦ୍ରମାନେ ସୃଷ୍ଟି କରନ୍ତି
ଇନ୍ଦ୍ରଧନୁର ବର୍ଣ୍ଣବିଭା,
ସମୁଦ୍ର ଢେଉରେ ଝିଲ୍ ମିଲ୍
ହୁଏ ପ୍ରେମ ।
ସେଦିନ ମାଆ ହସି ହସି
ମୋତେ ଛନ୍ଦି ଦେଇଥିଲା
ତୁମ ଓଢଣୀ ଜାଲରେ ।
ତା'ରି ଭିତରେ ଥାଇ
ଏବେ ମୁଁ ଖୋଜୁଛି
ତାରା ଭର୍ତ୍ତି ଆକାଶ ଭିତରୁ
ବାତ୍ସଲ୍ୟ ଓ ଆଶୀର୍ବାଦର ମିଞ୍ଜ୍ଜି ମିଞ୍ଜ୍ଜି
ଆଲୋକ ବର୍ତ୍ତିକାଟିଏ ।