ପଦଟିଏ ତୋ ନାଁରେ ପ୍ରିୟା
ପଦଟିଏ ତୋ ନାଁରେ ପ୍ରିୟା
ଯାହାର ପ୍ରେମରେ ଆଜି ମୁଁ ପାଗଳ
ଜାଣେନା ସେ ବୁଝେ କି ନା ?
ଅବା ସେ ପ୍ରେମର ପୋଖତ ଖେଳାଳୀ
ଦିଏ ଖାଲି ପ୍ରତାରଣା ।
ସମସ୍ତେ କହନ୍ତି ପ୍ରେମ ତ ଅଟଇ
ହୃଦୟର ଏକ ଭାଷା
ସାଥିରେ ଜୀଇଁବା ସାଥେ ମରିବାର
ଦୃଢ ଏକ ଅଭିଳାଷା ।
ପ୍ରେମ ମୂଳଦୁଆ ଅଟଇ ବିଶ୍ଵାସ
କାନ୍ଥ ତା’ର ସମର୍ପଣ ।
ହୃଦୟ ବନ୍ଧନେ ଗଢଇ ସେ ଘର
ଛାତ ତା’ର ସତ ପଣ ।
ଜାଣେନା ମୋ ପ୍ରିୟା ସତ କହେ କି ନା
ଅବା କରେ ଅଭିନୟ
ଆଖି ତା ପ୍ରେମର ସମୁଦ୍ର ତଥାପି
ଲାଗଇ କିଆଁ ସନ୍ଦେହ ?
ଆଉ କେହି ଯଦି ଲେଖି ଦେଇ ଥାଏ
ତାହାରି ଛାତିରେ ନାଆଁ
ଏତେ ଟାଣ ନୁହେଁ କଲିଜା ମୋହର
ସହି ପାରିବିନି ତାହା ।
ଶାଶ୍ଵତ ମୋ ପ୍ରେମ ପବିତ୍ର ମୋ ପ୍ରେମ
ବିଶ୍ଵାସର ଦମ୍ଭ ଅଛି
ନିର୍ମଳ ହୃଦୟେ ପ୍ରେମକୁ ଜିଣିବି
ଅପେକ୍ଷା ତାକୁ କରିଛି ।
ଯଦି କିଛି ସତ ଲୁଚାଇଛ ପ୍ରିୟା
ଯାହା ମୁଁ ପାରେନା ସହି
ମରଣ ବେଳାରେ କହି ଦେବ ତାହା
ଶାନ୍ତିରେ ଯିବି ମୁଁ ଶୋଇ ।