ପାଉଁଶ ତଳର ସ୍ବପ୍ନ
ପାଉଁଶ ତଳର ସ୍ବପ୍ନ
ଯେତେ ପାର ଦୁଃଖ
ଦେଇଯାଅ ମତେ
ସହିଯିବି ଆଖିବୁଜି
ଲୁହରେ ଲୁହରେ
ଧୋଇଦେବି ସବୁ
ଛୋଟ ଜଳଧାରା ସାଜି !
ହସ ଅବା ଲୁହ
ପଡ଼େନି ଫରକ
ସବୁତ ଯାଉଛି ସହି
ନିଶ୍ୱାସ ବାୟୁରେ
ବାନ୍ଧିଛି ତୁମକୁ
ଜିଇଁଛି ସେତକ ନେଇ !
ଜଳିବା ପାଇଁ କି
ସଳିତାର ଜନ୍ମ
ହସି ହସି ମାନିନେବି
ଯେତେ ଲୁହ ଦେବ
ନୀରବେ ସହିବି
କଣ୍ଟାକୁ କମଳ ଭାବି !
ନୟନୁଁ ଲୋତକ
ଝରିଯାଉ ଯେତେ
ଅଧରୁ ଝରାଇ ହସ
ଜୋଛନା ଢାଳିବି
ଜହ୍ନ ଟିଏ ହୋଇ
ରହିବନି ଅବଶୋଷ !
ପ୍ରତିବାଦ କେବେ
କରିନାହିଁ ମନେ
ଅଭିମାନେ ଢାଳେ ଲୁହ
ନୀରବତା ଆଣେ
କଣ୍ଟାର ଆଘାତ
ହୃଦୟେ ଭରଇ କୋହ !
ଜୀବନ କୁ ମୋର
ପ୍ରଦୀପ କରିଛି
ଆଲୋକିତ କରୁଥିବି
ଅନ୍ତିମ ବେଳାରେ
ଯୁଇର ଶେଯରେ
ଲୁହ ନେଇ ହଜିଯିବି !
